ମାଲକାନଗିରି(ଏଟିଆର ବ୍ୟୁରେ):ଆଜି ମାଳକାନଗିରି ଜିଲ୍ଲା ଚିତ୍ରକେଣ୍ଡା ବ୍ଲକ ଜନ୍ତାପାଇ ଗ୍ରାମରେ ଲୋକ ମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ ଧୂଳିପଟୁ ପଞ୍ଚୟତରେ ରଙ୍ଗିପଟୁ ଗାଁର ରାଜୁ ହେନ୍ତାଳଙ୍କୁ ଜନ୍ତାପାଇ ବିଏସଏଫ ଜବାନ ପଚରା ଉଚରା କରିବା ପାଇଁ କ୍ୟାମ୍ପକୁ ନେଇଥିଲେ । ଏହାର ୩ଦିନ ପରେ ରାଜୁଙ୍କ ଶବ ଜନ୍ତାପାଇର ଏକ ଅଙ୍ଗନବାଡି କେନ୍ଦ୍ରରୁ ମିଳିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ନେଇଥିଲା । ଆଜି ସକାଳୁ ଶବ ବ୍ୟବଚ୍ଛେଦ ହେବା ପରେ ପୁଣି ଜନ୍ତାପାଇ ନେଇ ଆସିଥିଲା । ଏହା ପରେ ରାଜୁଙ୍କ ଶବ ପରିବାର ଲୋକ ଓ ସ୍ଥାନୀୟ ବାସୀନ୍ଦା ମାନେ ରାସ୍ତାରେ ରଖି ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ରାଜୁଙ୍କ ପରିବାର ଲୋକ ରାଜୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ବିକ୍ଷୋଭ ପ୍ରର୍ଦଶନ କରିଥିଲେ ।
ପୋଲିସ ଖବର ପାଇ ବିକ୍ଷୋଭ ପ୍ରର୍ଦଶନ ହେଉଥିବା ରାସ୍ତାରେ ପହଞ୍ଚି ବିକ୍ଷୋଭକାରିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ହେଲେ ଉତ୍ୟକ୍ତ ଲୋକ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ଜଣ କନଷ୍ଟେବଳ ଗୁରୁତର ହୋଇ ଥିବା ବେଳେ ଦୁଇ ଜଣ ଆହାତ ହୋଇଛନ୍ତି । ଗୁରୁତର ହୋଇ ଥିବା କନଷ୍ଟେବଳ ହେଲେ କୁବେର ଅନୁଗୁଳିଆ,ଧୀରେନ୍ ଦେବତା ଓ ସରୋଜ କୁମାର ସାହୁ । ବର୍ତ୍ତମାନ ସେମାନଙ୍କୁ ମାଲକାନଗିରି ମେଡିକାଲରେ ଚିକିତ୍ସା ହେଉଛନ୍ତି । ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିଛନ୍ତି।