ଜଗତସିଂହପୁର ( ଏଟିଆର ବ୍ୟୁରୋ): ଗତକାଲି ମୃତ ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ ଥାନାରେ ଆତ୍ମସମର୍ପଣ କରିଛି । ଜଗତସିଂହପୁର ପୋଲିସର ଦୁଇଟା ଟିମ ଗତକାଲି ସନ୍ଧ୍ୟା ଠାରୁ ପୁରୁଷ ବନ୍ଧୁ କିଶୋର ଆଞ୍ଚଲକୁ ନେଇ ଏକ ଅଜଣା ସ୍ଥାନରେ ପଚରା ଉଚରା କରିଛି । ଆଶା କରାଯାଉଛି ଆଜି ପୋଲିସ ଏହି ମର୍ଡର କେସର ଗୁମର ଖୋଲିପାରେ । କାହିଁକି ନିହାରକାକୁ ହତ୍ୟା କରାଗଲା? କେମିତି ହତ୍ୟା କରାଗଲା ? ଏହି ଜଘନ୍ୟ କାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ? ଏ ସବୁ ଉପରୁ ଆଜି ପରଦା ହଟିପାରେ ।
ତେବେ ଗତକାଲି କିଶୋର ଆଞ୍ଚଲର ଦୁଇଜଣ ସାଙ୍ଗକୁ ପୋଲିସ ଉଠାଇ ଆଣିଥିବା ଜଣା ପଡିଛି । ଆଜି ଘଟଣା ସର୍ମ୍ପକରେ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଜଗତସିଂହପୁର ଜାହାଙ୍ଗିରର କିଶୋର ଆଞ୍ଚଲ ଖୋର୍ଦ୍ଧାର ନିହାରିକା ପାତ୍ରଙ୍କୁ ପ୍ରେମ କରୁଥିଲେ । କଟକରେ ନିହାରିକା ଏକ ନର୍ସିଂହୋମରେ କାର୍ୟ୍ୟ କରୁଥିଲେ । ଉଭୟଙ୍କର ସେଠାରୁ ପ୍ରେମ ହୋଇଥିଲା । ତେବେ ଗତ ୮ ତାରିଖରେ ହସପିଟାଲରୁ ପୁରୁଷ ବନ୍ଧୁ ରାଜା ସହିତ ନିହାରିକା ଯିବା ପରେ ଆଉ ଘରକୁ ଫେରି ନଥିଲା ।
ପରେ ୧୮ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ନିହାରିକାର ଗଳିତ ଶବ ଉଦ୍ଧାର ହୋଇଥିଲା । ତିନିଦିନ ହେଲା ପୋଲିସ ଫେରାର ପୁରୁଷ ବନ୍ଧୁଙ୍କୁ ଖୋଜୁଥିବା ବେଳେ ତିନିଦିନର ଲୁଚକାଳି ଖେଳ ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା ରାଜା । ଅନ୍ୟପଟେ ଅଖାରେ ବନ୍ଧା ହୋଇ ନଦୀରେ ପଡିଥିବା ଶବ ନିହାରିକାର କି ନାହିଁ ତାହା ସ୍ପଷ୍ଟ କରିବାଲାଗି ନିହାରିକା ବାପା-ମାଆଙ୍କ ଡି.ଏନ୍.ଏ ଟେଷ୍ଟ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ତାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି ।