ରାଉରକେଲା(ଏଟିଆର ବ୍ୟୁରୋ): ଆମ ସମାଜ ଆଜି ପର୍ଯ୍ୟନ୍ତ ଉଚ୍ଚ ନିଚ ଜାତି ରେ ତଫାତ ଦେଖିବାକୁ ମିଳୁଛି । କେଉଁଠି ନିଚ ଜାତି କହି ଗାଁରୁ ବହାର କରିଦିଆ ଯାଉଛି ତ ଆଉ କେଉଁଠି ଶବକୁ କାନ୍ଧା ଦେବାକୁ କେହି ଆସୁ ନାହାନ୍ତି । ଏକିତି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ । ଜଣେ ମହିଳା କର୍ମଚାରିଙ୍କୁ ଜାତିଆଣ ଆକ୍ଷେପ ହୋଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜଣେ ଅଧ୍ୟାପକ ଓ ଜଣେ କିରାଣି ଅସଦାଚରଣ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ ।
ଏହାକୁ ନେଇ ମହିଳା ଜଣଙ୍କ ଅଗଷ୍ଟ ୪ ତାରିଖରେ ସୁନ୍ଦରଗଡ ଏସପିଙ୍କୁ ଅନଲାଇନରେ ଅଭିଯୋଗ କରିଥିଲେ । ହେଲେ ସେଠାରୁ କିଛି ଫଳ ନପାଇବାରୁ ଗତ ୨୦ ତାରିଖ ଦିନ ମହିଳା ଜଣଙ୍କ ରାଜଗାଙ୍ଗପୁର ଥାନାରେ ମାମଲା ରୁଜୁ କରିଥିଲେ । ରାଜଗାଙ୍ଗୁର ଏସଡିପିଓଙ୍କ କହିବା ଅନୁସାରେ ଅଧ୍ୟାପକ ଓ କରାଣି ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଅଧ୍ୟକ୍ଷଙ୍କ ନାଁରେ ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରାଯାଉଛି । ତେବେ ଗତ କାଲି ପୂର୍ବତନ ବିଧାୟକଙ୍କ ମଙ୍ଗଳ କିଷାଙ୍କ ଅଧ୍ୟକ୍ଷତାରେ କଲେଜର ପରିଚାଳନା କମିଟି ବୈଠକ ବସିଥିଲା । ଏଥିରେ କିରାଣୀ ପାଣୁ ଚରଣ ପଟ୍ଟନାୟକଙ୍କୁ ନିଳମ୍ବିତ କରାଯାଇଛି । ଏହା ସହ କଲେଜ ଅଧ୍ୟକ୍ଷ ଚନ୍ଦ୍ରମଣି ପଣ୍ଡାଙ୍କୁ ବଦଳି କରାଯିବା ପାଇଁ ସରକାରଙ୍କ ପାଖକୁ କମିଟି ପକ୍ଷରୁ ଚିଠି ଲେଖା ଯାଇଛି ।