ବାଲେଶ୍ୱର(ଏଟିଆର ବ୍ୟୁରୋ): ଗତ କାଲି ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ମାନେ ଗୋଡାଇ ଗୋଡାଇ ଭୁଜାଲିରେ ହାଣିଛନ୍ତି । ଏଥିରେ ଦିଲିପ ଦାସ ନାମକ ଯୁବକ ଗୁରୁତର ହୋଇ ପଡିଛନ୍ତି । ସୂଚନା ଅନୁସାରେ ଦିଲୀପ ଫାଲକନ ଚିଙ୍ଗୁଡି କମ୍ପାନୀ ଠାରେ ଠିକାଦାର ହିସାବରେ କାମ କରନ୍ତି । ତାଙ୍କ ଶ୍ରମିକ ମାନେ ଖନ୍ତପଡା ଥାନା ଅର୍ନ୍ତଗତ ପଣାପଣା ଠାରେ ରୁହନ୍ତି । ଗତକାଲି ରାତିରେ ଦିଲୀପ ଶ୍ରମିକ ମାନଙ୍କ ସହ କଥା ହେବାକୁ ଶ୍ରମିକ ମାନଙ୍କ ଭଡା ଘର ପାଖକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଦିଲୀପଙ୍କୁ ବାହରକୁ ଡାକି ଥିଲେ । ଦିଲୀପ ବାହାରକୁ ଆସିବା ପରେ କିଛି ସମୟ ଦିଲୀପ ଓ ଦୁର୍ବୃତ୍ତ ମାନଙ୍କ ଭିତରେ ଯୁକ୍ତି ଲାଗିଥିଲା ।
ଏହା ପରେ ଦୁର୍ବୃତ୍ତ ମାନେ ଭୁଜାଲିରେ ଦିଲୀପଙ୍କୁ ହାଣିବାକୁ ଆରମ୍ଭ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ଦିଲୀପ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତ ମାନେ ଦିଲୀପଙ୍କୁ ଗୋଡାଇ ଗୋଡାଇ ହାଣି ଥିଲେ । ଦୁର୍ବୃତ୍ତଙ୍କ ଭୁଜାଲି ଚୋଟରେ ଦିଲୀପ ଗୁରୁତର ହୋଇ ରାସ୍ତାରେ ପଡିଯାଇଥିଲେ । ଏହା ପରେ ଶ୍ରମିକ ମାନେ ଦିଲୀପଙ୍କୁ ଉଦ୍ଧାର କରି ଖନ୍ତପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦିଲୀପ ଏହି ଘଟଣାକୁ ନେଇ ଖନ୍ତପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ ନେଇ ଏହି ଭଲି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି । ଦିଲୀପଙ୍କ ଗୋଡ, ହାତ ଓ ପେଟରେ ଗଭୀର ଆଘାତ ଲାଗିଛି ।