ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ନବରାତ୍ରି । ହିନ୍ଦୁ ଧର୍ମରେ ଦୁଇ ଥର ନବରାତ୍ରି ପାଳନ କରାଯାଇଥାଏ । କିନ୍ତୁ ଶାରଦୀୟ ନବରାତ୍ରିର ବିଶେଷ ମହତ୍ୱ ରହିଛି । ଏହି ଅବସରରେ ମା ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ଆପଣ ମା’ ଦୁର୍ଗାଙ୍କୁ ସ୍ଥାପନା କରିବେ ସେହି ଘରର କବାଟରେ ଫିକା ହଳଦିଆ, ଗୋଲାପି କିମ୍ବା ସବୁଜ ରଙ୍ଗର କପଡା ନିଶ୍ଚେୟେ ବାନ୍ଧନ୍ତୁ । ଏଭଳି କରିବା ଦ୍ୱାରା ସେହି ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ । ସେହିପରି ନଅ ଦିନ ଯାକ ମା’ଙ୍କ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ କୋଣ ଆଡକୁ ରହିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ ଧ୍ୟାନ ସଠିକ୍ ରହିବ ଏବଂ ମାନସିକ ଶାନ୍ତି ବି ମିଳିବ ।
ପୂଜା ଆରମ୍ଭ କରିବା ପୂର୍ବରୁ ପୁଜା ସ୍ଥାନରେ ସ୍ୱସ୍ତିକ ଆଙ୍କନ୍ତୁ । ସ୍ୱସ୍ତିକ ଚିହ୍ନ ଯଦି ଆପଣ ହଳଦୀ କିମ୍ବା ସିନ୍ଦୁର ଦ୍ୱାରା ଆଙ୍କିବେ ତେବେ ଏହା ଦ୍ୱାରା ଶୁଭ ହୋଇଥାଏ । ଏହି ଅବସରରେ ଯଦି ଆପଣ କୌଣସି ନୂଆ ଗାଡି କିମ୍ବା ଜିନିଷ କିଣୁଛନ୍ତି ତେବେ ତାହା ଉପରେ ବି ଆପଣ ସ୍ୱସ୍ତିକ ଚିହ୍ନ କରିପାରିବେ ।
ସେହିପରି ନବରାତ୍ରିରେ କଳସ ସ୍ଥାପନା ଏବଂ ଦୀପ ଜାଳିବା ପରେ ଘରକୁ ଖାଲି ଛାଡିବା ଉଚିତ୍ ନୁହେଁ । ନବରାତ୍ରିରେ ଘରକୁ ତାଲା ପକାଇ ବାହାରକୁ ଯିବା ଆଶୁଭ ବୋଲି କୁହାଯାଇଥାଏ । ଏହାଦ୍ୱାରା ମା’ ଦୁର୍ଗା କ୍ରୋଧିତ ହୋଇଯାଇଥାନ୍ତି । ଯାହାଦ୍ୱାରା ଆପଣ ଆପଣଙ୍କ ଜୀବନରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।