ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପି ତାର ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆଜି ସନତଙ୍କ ନାମ ଉପରେ ମୋହର ମାରିଛି ବିଜେପି ।୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିଲେ ସନତ ଗଡତିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସେ ପରାସ୍ତ ହୋଇଥିଲେ । ଅନ୍ୟପଟେ ଏହି ଆସନ ପାଇଁ କଂଗ୍ରେସ ଓ ବିଜେଡି ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ସାରିଛି ।
ବିଜେଡି ବିଜେପୁର ପୂର୍ବତନ ବିଧାୟିକା ରୀତାଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆସନ୍ତାକାଲି ବିଜେପୁର ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷଦିନ । ତେଣୁ ଆସନ୍ତାକାଲି ତିନି ଦଳର ପ୍ରାର୍ଥୀ ନାମାଙ୍କନ କରିବେ । ପଦ୍ମପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ ।
ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ବିଜେପୁରରୁ ବାଜି ମଧ୍ୟ ମାରିଥିଲେ ନବୀନ । ପରେ ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ନିର୍ବାଚନ ମଣ୍ଡଳିର ଆସନ ଖାଲି ପଡିଥିଲା । ତେଣୁ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଏହି ଆସନ ପାଇଁ ଦେଢ ବର୍ଷ ଭିତରେ ତୃତୀୟ ଥର ନିର୍ବାଚନ ଅନୁଷ୍ଠିତ ହେବ ।