ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଅକ୍ଟୋବର ୨୩ ରେ ହେବାକୁ ଥିବା ବିସିସିଆଇ ର ନିର୍ବାଚନ ପାଇଁ ବୋର୍ଡ ର ସମସ୍ତ ସଦସ୍ୟ ନିଜ ପ୍ରତିନିଧିଙ୍କ ନାଁ ସିଇଓ କୁ ପଠାଇ ଦେଇଛନ୍ତି । ଏଥିରେ ରାଜନୀତିଜ୍ଞ ବ୍ୟତିତ ବରିଷ୍ଠ କ୍ରିକେଟର ମାନେ ବି ସାମିଲ ଅଛନ୍ତି । ସମସ୍ତ ସଦସ୍ୟଙ୍କ ପ୍ରତିନିଧିଙ୍କ ଡ୍ରାଫ୍ଟକୁ ନିର୍ବାଚନ ଅଧିକାରୀ ନିର୍ବାଚନ ତାଲିକାରେ ସାମିଲ କରି ନେଇଛନ୍ତି । କିନ୍ତୁ ଅକ୍ଟୋବର ୭ ତାରିଖ ଯାଏଁ ଏହି ସବୁ ନାଁକୁ ଯାଞ୍ଚ କରାଯିବ । ଏହାପରେ ଶେଷ ନିର୍ବାଚନୀ ତାଲିକା ଜାରି କରାଯିବ ।
ଗୁଜୁରାଟ କ୍ରିକେଟ ଆସୋସିଏସନ ରୁ ସଂଯୁକ୍ତ ସଚିବ ପଦ ତ୍ୟାଗ କରିଥିବା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପୁଅ ଜୟ ଶାହାଙ୍କୁ ପ୍ରତିନିଧି କରାଯାଇଛି । ସେହିପରି ୟୁପି କ୍ରିକେଟ ଆସୋସିଏସନ ନିଜ ପ୍ରତିନିଧି ପାଇଁ କଂଗ୍ରେସ ନେତା ରାଜୀବ ଶୁକ୍ଳାଙ୍କୁ ବାଛିଛନ୍ତି ।
ରାଜସ୍ଥାନ ରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ପୁଅ ବୈଭବ ଗେହଲତ ଏବଂ ହିମାଚଳ ପ୍ରଦେଶରୁ ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରେମ ଚନ୍ଦ ଧୂମଲଙ୍କ ପୁଅ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକରେଙ୍କ ଭାଇ ଅରୁଣ ସିଂ ଧୂମଲଙ୍କ ପ୍ରତିନିଧି କରାଯାଇଛି । ସେହିପରି ଡିଡିସିଏରୁ ମିଡିଆ ଟାଇକୁନ ରଜତ ଶର୍ମା ଏବଂ ସୌରାଷ୍ଟ୍ରରୁ ପୂର୍ବ ବୋର୍ଡ ସଚିବ ନିରଞ୍ଜନ ଶାହାଙ୍କ ପୁଅ ଜୟଦେବ ଶାହାଙ୍କୁ ପ୍ରତିନିଧି କରାଯାଇଛି ।
ଅନ୍ତିମ ତାଲିକାରେ କିଛି ରାଜ୍ୟରୁ ଦିଗଜ୍ କ୍ରିକେଟରଙ୍କୁ ନିଜ ପ୍ରତିନିଧି କରାଯାଇଛି । କୋଲକାତା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ହାଇଦ୍ରାବାଦ କେନଏ ଅଧ୍ୟକ୍ଷ ମୋହମ୍ମଦ ଅଜରୁଦ୍ଦିନ ନିଜ ସଂଘର ପ୍ରତିନିଧି ହୋଇଛନ୍ତି । ସେହିପରି ରେଲୱେ, ୟୁନିଭରସିଟି ଏବଂ ସେନା ପକ୍ଷରୁ କ୍ରିକେଟର ହରବିନ୍ଦର ସିଂହ, ରାଜୀବ ନ୍ୟାୟର ଏବଂ ସଞ୍ଜୟ ବର୍ମାଙ୍କୁ ପ୍ରତିନିଧି କରାଯାଇଛି । ଅନ୍ୟପଟେ ପଞ୍ଜାବରୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ବିକ୍ରମ ରାଠୌରଙ୍କ ଭାଇ ରାକେଶ ରାଠୌର, ହରିଆଣାରୁ ମୃଣାଳ ଓଝା ଏବଂ ତାମିଲନାଡୁ ରୁ ଆରଏସ ରାମାସ୍ୱାମୀ ପ୍ରତିନିଧି କରିବେ ।\n