ଦୁବାଇ (ଏଟିଆର ବ୍ୟୁରୋ ) ; ଆଜି ହେବ ଭାରତ – ଆଫଗାନିସ୍ତାନ ଲଢେଇ । ଚଳିତ ଏସିଆ କପର ଶେଷ ସୁପର ୪ ମ୍ୟାଚରେ ଭାରତକୁ ଭେଟିବାକୁ ଯାଉଛି ଆଫଗାନିସ୍ତାନ । ଏସିଆ କପର ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଥିବା ଭାରତ ଆଜି ତାର ଅନ୍ତିମ ମ୍ୟାଚ ଖେଳି ନିଜ ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ ।
ଆଗକୁ ଫାଇନାଲ ମୁକାବିଲା ଥିବାରୁ ଦଳର କିଛି ଷ୍ଟାର ଖେଳାଳୀଙ୍କୁ ଭାରତ ବିଶ୍ରାମ ଦେବ ବୋଲି ଚର୍ଚ୍ଚା ହେଇଛି । ବିଶେଷକରି ଭୁବନେଶ୍ୱର କୁମାର , ଓ କେତେଜଣ ସ୍ପିନର ମାନଙ୍କୁ ଦଳରୁ ବିଶ୍ରାମ ଦିଆଯାଇପାରେ । ସେପଟେ ଭାରତ ବିପକ୍ଷ ମୁକାବିଲାରେ କମଜୋର ଥିବା ଆଫଗାନିସ୍ତାନ ଦଳ ଚଳିତ ଏସିଆ କପରେ ଏ ପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରି ଆସିଛି । ଦୁଇ ଦୁଇଟି ବିଶ୍ୱସ୍ତରର କ୍ରିକେଟ ଦଳକୁ ଲିଗ ପର୍ଯ୍ୟୟରେ ପରାସ୍ତ କରିସାରିଛି ଆଫଗାନିସ୍ତାନ । ଲିଗ ପର୍ଯ୍ୟାୟରେ ଶକ୍ତିଶାଳୀ ଶ୍ରୀଲଙ୍କା ଓ ବାଂଲାଦେଶକୁ ମାତ ଦେଇ ସାରିଛି ଆଫଗାନିସ୍ତାନ ।
ତେବେ ଆଫଗାନିସ୍ତାନ ସୁପର ୪ ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ କଡ୍ଡା ଟକ୍କର ଦେଇଥିଲା । ଶେଷ ଓଭରରେ ସୋହେବ ମାଲିକଙ୍କ ଚମକ୍ରାର ବ୍ୟାଟିଂ ଆଫଗାନିସ୍ତାନକୁ ହରାଇଥିବା ବେଳେ ଗତ ରବିବାର ଦିନ ବାଂଲାଦେଶଠାରୁ ମାତ୍ର ୩ ରନରେ ପରାସ୍ତ ହୋଇଥିଲା ଆଫଗାନିସ୍ତାନ । ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ଆଫ୍ଗାନିସ୍ତାନ ବେଶ ଭଲ ପ୍ରଦର୍ଶନ କରିଛି।
ବୋଲିଂ ବିଭାଗର ସଫଳତା ଷ୍ଟାର ସ୍ପିନର ରଶିଦ୍ ଖାନ୍ ଙ୍କ ଉପରେ ନିର୍ଭର କରିବ । ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଏତେ ସହଜରେ ନେବ ନାହିଁ । ଏଥିପାଇଁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଢିଆକୁ ଓହ୍ଲାଇବ ।ଏହି ମ୍ୟାଚ ଭାରତୀୟ ସମୟ ସଂନ୍ଧ୍ୟା ୫ ଟାରେ ଦୁବାଇରେ ଆରମ୍ଭ ହେବ ।