ଅନୁଗୁଳ ( ଏଟିଆର ବ୍ୟୁରୋ): ପୁଅକୁ ପାଇବାକୁ ହେଲେ ତୁରନ୍ତ ୨୫ ହଜାର ଟଙ୍କା ଆଣିଦିଅ । ନହେଲେ ଆଉ ପୁଅର ମୁହଁ ଦେଖି ପାରିବେନି । ବାପା ଚିନ୍ତାରେ ପଡିଗଲେ । ବାପା ଧମକକୁ ଡରି ୨୫ ହଜାର ଟଙ୍କା ନେଇ ପହଞ୍ଚିଲେ ଠିକଣା ସ୍ଥାନରେ । ହଠାତ ୪ ଜଣ ଯୁବକ ଆସି ତାଙ୍କୁ ମାଡି ବସିଲେ । କିଛି ବୁଝିବା ଆଗରୁ ବାପାଙ୍କୁ ନିର୍ଦ୍ଧୁମ ଛେଚିଲେ । ଆଉ ଟଙ୍କା ସବୁ ଛଡାଇ ନେଲେ । ଆପଣ ଏତକ ପଢି ସାରିବା ପରେ ଲାଗୁଥିବ ଆମେ ଆପଣଙ୍କୁ କୌଣସି ସିନେମା କି ଯାତ୍ରାର ସିକୁଏନସ କହୁଛୁ । ନାଁ ଆମେ ଯାହା କହୁଛୁ ଏହା କାଳ୍ପନିକ ନୁହେଁ ବରଂ ବାସ୍ତବ । ବାପା ଠାରୁ ଟଙ୍କା ନେବା ପାଇଁ ଜଣେ ପୁଅ ଏମିତି ଏକ ହାଇ ପ୍ରୋଫାଇଲ ଡ୍ରାମା କରିଛନ୍ତି ।
ଏହି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଶିମିଳିପଡାରେ । ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେଉଁଥିରେ ସେ ଦର୍ଶାଇଛନ୍ତି ତାଙ୍କ ଠାରୁ ଟଙ୍କା ନେବା ପାଇଁ ତାଙ୍କ ପୁଅ ଗୌରବ ଘୋଷ ଅପହରଣର ନାଟକ କରିଛନ୍ତି । ସେ ଏତଲାରେ ଦର୍ଶାଇଛନ୍ତିି ତାଙ୍କୁ ପ୍ରଥମେ ଏକ ଫୋନ ଆସିଥିଲା ବକେୟା ଟଙ୍କା ଫେରାଇବା ପାଇଁ କୁହାଯାଇଥିଲା ।
ପୁଅ ବାପାଙ୍କ ଠାରୁ ୪୦ ହଜାର ଟଙ୍କା ନେଇ ଯାଇଥିଲେ । ମାତ୍ର ଆଉ ଫେରି ନଥିଲେ । କିଛି ଘଣ୍ଟା ପରେ ପୁଣି ଏକ ଫୋନ ଆସିଥିଲା ଯେଉଁଥିରେ କୁହାଯାଇଥିଲା ୨୫ ହଜାର ଟଙ୍କା ନଦେଲେ ପୁଅ ମିଳିବନି ବୋଲି । ତେବେ ଏକ ବିଶେଷ ସୁତ୍ରରୁ ସେ ଜାଣିବାକୁ ପାଇଲେ ଏ ଅପହରଣର ନାଟକ ତାଙ୍କ ପୁଅ କରିଥିଲା । ଏନେଇ ସେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାରେ ପୁଅ ଗୌରବ ଏବଂ ତାର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଛି ।