ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ଶିଦ ନିଜ ଦଳକୁ ଆଲୋଚନା କରିବା ସହ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି,କଂଗ୍ରେସର ଯାହା ବି ସ୍ଥିତି ରହିଛି, ସେଥିରେ ମହାରାଷ୍ଟ୍ର ଏବଂ ହରିୟାଣା ନିର୍ବାଚନ ଜିତିବା ସମ୍ଭବ ନୁହେଁ । ଦଳ ସଂଘର୍ଷ ର ସ୍ଥିତି ଦେଇ ଗତି କରୁଛି ଏବଂ ନିଜ ଭବିଷ୍ୟ ବି ଗଢି ପାରୁ ନାହିଁ । ଆମର ସବୁଠାରୁ ବଡ ସମସ୍ୟା ହେଉଛି ଆମ ନେତା ରାହୁଲ ଗାନ୍ଧୀ ଆମକୁ ଛାଡି ପଳେଇଲେ ।
ଏକ ଗଣମାଧ୍ୟମକୁ ସାକ୍ଷାତ କରି ପୂର୍ବ ବିଦେଶ ମନ୍ତ୍ରୀ ଖୁର୍ଶିଦ କହିଛନ୍ତି, ଲୋକସଭା ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦଳର ସଙ୍କଟକୁ ବଢାଇ ଦେଇଛି । ତାଙ୍କର ଏହି ନିଷ୍ପତି ଯୋଗୁଁ ଦଳ ହାରିବା ପରେ ଜରୁରୀ ଆତ୍ମନିରୀକ୍ଷଣ ବି କରିପାରି ନାହିଁ । ପ୍ରକୃତରେ ଆମେ ଲୋକସଭା ନିର୍ବାଚନରେ କାହିଁକି ହାରିଲୁ ସେଥିପାଇଁ ବିଶ୍ଲେଷଣ କରିବା ପାଇଁ ଏକାଠି ହୋଇ ପାରି ନାହୁଁ । ଦଳ ଏବେ ସଂଘର୍ଷର ଏଭଳି ସ୍ଥିତି ଦେଇ ଗତି କରୁଛି, ଯେଉଁଥିରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ଜିତିବାର ସମ୍ଭାବନା ନାହିଁ । କଂଗ୍ରେସର ସ୍ଥିତି ଏଭଳି ସ୍ତରରେ ପହଁଚି ଯାଇଛି ସେ କେବଳ ଆଗାମୀ ବିଧାନସଭାରେ ନୁହେଁ ବରଂ ଆଗାମୀ ଭବିଷ୍ୟ ପର୍ଯ୍ୟନ୍ତ ଦଳର ସ୍ଥିତି ସୁଧୁରି ପାରିବ ନାହିଁ ।