ଅଯୋଧ୍ୟା ( ଏଟିଆର ବ୍ୟୁରୋ) : ଶ୍ରୀରାମ ଜନ୍ମଭୂମିକୁ ନେଇ ଲାଗି ରହିଥିବା ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଚଳିତ ଦୀପାବଳି ପୂର୍ବରୁ ହୋଇପାରେ । ଆଜିଠାରୁ ଅଯୋଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନକୁ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି। ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଆଗକୁ ଦୀପାବଳୀ ଆସୁଥିବାରୁ ଏହି କଟକଣାଜାରି ହୋଇଥିବା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି ।
କାରଣ, ରାମ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ ଲାଗି ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ ନେତାମାନେ ଅନୁମତି ମାଗିଛନ୍ତି। ଅନ୍ୟପଟେ ଆବେଦନକାରୀ ହାଜି ମହମ୍ମଦ କହିଛନ୍ତି ଯଦି ବିବାଦୀୟ ଜାଗାରେ ଦୀପାବଳି ପାଳନ ଲାଗି ସେମାନଙ୍କୁ ଅନୁମତି ମିଳେ , ତେବେ ସେଠାରେ ସେ ନମାଜ ପଢ଼ିବାକୁ ଅନୁମତି ପାଇବା ପାଇଁ ଆବେଦନ କରିବେ। ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ପ୍ରଧାନବିଚାରପତି ପଦରୁ ରଞ୍ଜନ ଗୋଗଇ ଅବସର ଗ୍ରହଣ କରିବେ। ତେଣୁ ଦୀପାବଳି ପୂର୍ବରୁ ମାମଲାର ରାୟ ଆସିଯିବ ବୋଲି ଅନୁମାନ କରାଯାଉଛି।
ପୂର୍ବରୁ କୋର୍ଟ ଶୁଣାଣୀ ଲାଗି ସମୟ ଧାର୍ଯ୍ୟ ଚୂଡାନ୍ତ କରିଥିଲେ ଓ ପକ୍ଷମାନଙ୍କୁ ୧୮ ଅକ୍ଟୋବର ସୁଦ୍ଧା ନିଜନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କୋର୍ଟ ଆଉ କାହାର ଆବେଦନ ଅଥବା ନିବେଦନ ଶୁଣିବେ ନାହିଁ। ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୬ରୁ ସବୁଦିନ ଶୁଣାଣି କରିବେ ବୋଲି ପୂର୍ବରୁ କହିଥିଲେ। ଏନେଇ ମଧ୍ୟସ୍ଥତା କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା।