କଟକ ( ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ଗଲେ ଆରମ୍ଭ ହୋଇଯିବ ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଏବେ ଠାରୁ ଆରମ୍ଭ ହୋଇଯାଇଛି ବାଲିଯାତ୍ରା ପାଇଁ ପ୍ରସ୍ତୁତି । ବାଲିଯାତ୍ରା ପଡିଆରେ ଲାଗିବ ଖଚାଖଚ ଭିଡ । ଶହ ଶହ ଦୋକାନକୁ ହଜାର ଲୋକଙ୍କ ସମାଗମ ହେବ । ତେବେ ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସିଏମସି ଓ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।
ଏଥର ବାଲିଯାତ୍ରାରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି । ଉଭୟ ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଲିଯାତ୍ରାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଟଏଲେଟ କରାଯିବା ସହ ଦୁଇଟି ସିଫ୍ଟରେ ବାଲିଯାତ୍ରା ପଡିଆକୁ ସଫା କରାଯିବ ।
ସେହିଭଳି ଏନଜିଟି ଅନୁସାରେ ପ୍ଲଟ ଆବଣ୍ଟନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅପରପକ୍ଷେ ପ୍ରତିବର୍ଷ ବାଲିଯାତ୍ରାରେ ବାସି ଖାଦ୍ୟ ଅଭିଯୋଗ ଆସୁଥିବାରୁ ଏଥର ବାସିଖାଦ୍ୟ କିଭଳି ଯାତ୍ରୀ ନ ଖାଇବେ ସେ ନେଇ ବେଶି ଗୁରୁତ୍ୱ ଦିଆଯିବ । ଏନେଇ ଦୁଇଟି ଟିମ ଗଠନ କରାଯାଇ ଦୋକାନ ମାନଙ୍କ ଉପରେ ଚଢାଉ କରି ବାସି ଖାଦ୍ୟ ନଷ୍ଟ କରାଯିବ ।