ଅନୁଗୁଳ(ଏଟିଆର ବ୍ୟୁରୋ): କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ରୂପ । ଦେହ ଖରାପ ହେବା ମାତ୍ର ଆମେ ସଙ୍ଗେ ସଙ୍ଗେ ଅତି ବିଶ୍ୱାସର ସହ ଡାକ୍ତର ପାଖକୁ ଯାଇଥାଉ । ହେଲେ ବେଲେ ବେଳେ ଡାକ୍ତରଙ୍କ ଦ୍ୱାରା ଏପରି କିଛି ଭୁଲ ହୋଇଯାଏ ଯାହା ରୋଗୀର ବିଶ୍ୱାସକୁ ଭାଙ୍ଗିଦିଏ । କେତେବେଳେ ରୋଗୀର ଅପରେସନ ସମୟରେ ଶରୀର ମଧ୍ୟରେ କଇଞ୍ଚି ରହିଯାଏ ତ ପୁଣି କେତେବେଳେ ଗଜ କନା । ହେଲେ ଅନୁଗୁଳ ଜିଲ୍ଲାରେ ଏପରି ଘଟଣା ଘଟିଛି ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ ।
ଖବର ମୁତାବକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କର ୩ବର୍ଷର ପୁଅ ସ୍ୱୟଂଜିତଙ୍କୁ କିଛି ଦିନ ଜ୍ୱର ଲାଗି ରହିଥିଲା । ତେଣୁ ପରିବାର ଲୋକେ ତାକୁ ନେଇ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇଥିଲେ । ସେଠାରେ ଡାକ୍ତର ପିଲାଟିକୁ ଦେଖି, ତାକୁ ଏକ ଇଞ୍ଜେକସନ ସହ କିଛି ଔଷଧ ଲେଖିଦେଇଥିଲେ । ଏହାପରେ ମେଡିକାଲରେ ଥିବା ନର୍ସ ପୁନମ ହାଁସଦା ପିଲାଟିକୁ ଇଞ୍ଜେକସନ ଦେଇଥିଲେ । ଏହାପରେ ସେମାନେ ଘରକୁ ଚାଲି ଆସିଥିଲେ । ହେଲେ ପିଲାଟିକୁ ଦିଆ ହୋଇଥିବା ଇଞ୍ଜେକ୍ସନ ଛୁଞ୍ଚିର କିଛି ଅଂଶ ଭାଙ୍ଗିଯାଇ ତା ଶରୀର ମଧ୍ୟରେ ରହିଯାଇଥିଲା ।
ହେଲେ ଏ ବାବଦରେ ପରିବାର ଲୋକ କିଛି ଜାଣିପାରିନଥିଲେ । ଘରକୁ ଆସିବାର କିଛି ଦିନ ପରେ ପିଲାଟି ଅସହ୍ୟ କଷ୍ଟ ଅନୁଭବ କରିବା ସହ ଅସହ୍ୟ ହୋଇପଡିଲା । ଏଥିରେ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ଡାକ୍ତରଙ୍କ ପାଖକୁ ପୁଣି ନେବାରୁ ସେ ଏହା ଆଣ୍ଟିବାୟୋଟିକର ପ୍ରଭାବ କହି ତାଙ୍କୁ ଘରକୁ ପଠାଇଦେଇଥିଲା । କିନ୍ତୁ ଆଜି ସକାଳେ ସେହି ଇଞ୍ଜେକ୍ସନ ଛୁଞ୍ଚିର କିଛି ଅଂଶ ଫୁଟି ବାହାରକୁ ବାହାରି ଆସିଥିଲା । ଏହା ଦେଖିବା ପରେ ପିଲାଟିକୁ ପୁଣି ଚିକିତ୍ସା କରିବା ପାଇଁ ମାଧପୁର ଡାକ୍ତରଖାନକୁ ଆଣିଥିଲେ ସେଠାରେ ଡାକ୍ତର ଛୁଞ୍ଚିଟିକୁ ବାହାର କରିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।