ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜିଲ୍ଲା ସଦର ମହକୁମାରେ ଥିବା ରେଳ ଷ୍ଟେସନର ସୌନ୍ଦର୍ଯ୍ୟ କରଣ ଓ ରେଳ ଯାତ୍ରୀଙ୍କ ମଧ୍ୟରେ ଦେଶ ଭକ୍ତି ସୃଷ୍ଟି କରିବା ପାଇଁ ଓଡିଶାର ଆଉ ୨୬ ଟି ରେଳ ଷ୍ଟେସନରେ ଜାତୀୟ ପତାକା ଉଡାଯିବ । ଏନେଇ ରେଳ ମନ୍ତ୍ରଣାଳୟ ନିର୍ଦେଶ ଦେଇଛି । ମନ୍ତ୍ରଣାଳୟର ନିର୍ଦେଶ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ୨୬ ଟି ଷ୍ଟେସନରେ ଜାତୀୟ ପତାକା ଲଗାଯିବ । ୧୦୦ ଫୁଟିଆ ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଛି ।
ପ୍ରସ୍ତାବିତ ଷ୍ଟେସନଗୁଡିକ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ୧୩ଟି ଷ୍ଟେସନ, ୱାଲଟିୟର ରେଳମଣ୍ଡଳର ୭ଟି ଷ୍ଟେସନ ଓ ସମ୍ବଲପୁର ରେଳମଣ୍ଡଳର ୬ଟି ଷ୍ଟେସନଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ।
ଏହି ଷ୍ଟେସନ ଗୁଡିକ ହେଲା ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର, ପାରାଦୀପ, ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ନୂଆପଡ଼ା ରୋଡ, ଭବାନୀପାଟଣା, ମହାସମୁଦ, କୋରାପୁଟ, ରାୟଗଡା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ, ବିଜୟନଗରମ୍, ଜଗଦଳପୁର ଓ ଦନ୍ତେୱାଡା ଷ୍ଟେସନ ପ୍ରମୁଖ ରହିଛି । ସୂଚନାଯୋଗ୍ୟ ପୂର୍ବରୁ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ ହୋଇ ସାରିଛି ।