ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗୋଟିଏ ପଟେ ନଦୀ ପଠାରୁ ଉନ୍ମୟଙ୍କ ମୃତଦେହ ମିଳିବା ଆଉ ଅନ୍ୟପଟେ ଭିଡ଼ିଓ ଭାଇରାଲ ହେବା ଘଟଣାର ମୂଳରେ ପହଁଚିବାକୁ ଏବେ ପୁଲିସ ଚେଷ୍ଟା ଜାରି ରଖିଛି । ତେବେ ଏହାରି ଭିତରେ ଅନେକ ପ୍ରଶ୍ନରେ ଛନ୍ଦି ହୋଇଛି ପୁଲିସ । ସେପଟେ ମୃତ ଉନ୍ମୟଙ୍କ ପାଦରେ ଲାଗିଥିବା ଅଳତା ପୂରା ଘଟଣାର ମୋଡ ବଦଳାଇ ଦେଉଛି ।
କାହିଁକି ପିନ୍ଧିଥିଲେ ସେ ଅଳତା? କାହା ଫୋନ କଲ ପାଇ ସେ ଏଠାକୁ ଆସିଥିଲେ? କେବଳ ଏତିକି ନୁହେଁ ନଦୀ ପଠାରେ ଟହଲ ମାରୁଥିବା ନାଲି କାରଟି କାହାର? କାରରେ ଥିବା ପୁଣି ଯୁବତୀ ଜଣକ କିଏ? ବିଳମ୍ବିତ ରାତିରେ କାହିଁକି ନଦୀ ପଠାରେ ଚକ୍କର କାଟୁଥିଲା କାର? ଏମିତି ଏକାଧିକ ପ୍ରଶ୍ନର ଉତର ଖୋଜୁଛି ଏବେ କମିଶନରେଟ ପୁଲିସ । ସେପଟେ ପ୍ରଥମରୁ ପୁଲିସ ସ୍କାନରକୁ ଆସିଥିବା ଉନ୍ମୟଙ୍କ ପୂର୍ବତନ ପ୍ରେମିକାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି । କେବଳ ଯୁବତୀ ନୁହନ୍ତି ଏବେକାର ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ଭାଇ ମଧ୍ୟ ପୁଲିସ ନଜରରେ ରହିଛନ୍ତି । ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଜଣାପଡିଛି ।
ହତ୍ୟା ଘଟଣା ପରଠୁ ଯୁବତୀଙ୍କୁ ମିଶାଇ ମୋଟ ୩ଜଣଙ୍କ ଉପରେ ପୁଲିସ ରଖିଥିଲା କଡ଼ା ନଜର । କାରଣ ଏମାନଙ୍କ ଚାଲିଚଳଣୀ ଥିଲା ସନ୍ଦେହ ଘେରରେ । ବାସ ଏହାପରଠୁ ଏମାନେ କାହାସହ ମିଶୁଛନ୍ତି? କ’ଣ କଥା ହେଉଛନ୍ତି? କୁଆଡେ ଯାଉଛନ୍ତି? ସେ ସବୁର ଟିକନିକ ସୂଚନା ରଖୁଥିଲା ପୁଲିସ । ତେବେ ଠୋସ ସୁରାକ ମିଳିବା ପରେ ଏମାନେ ଏବେ ରହିଛନ୍ତି ପୁଲିସ ସ୍କାନରରେ । ରବିବାର ଡିସିପି ଓ ସ୍ପେଶାଲସ୍କ୍ୱାଡ ଘଟଣାସ୍ଥଳକୁ ଯାଇ ପୂରା ଘଟଣାକୁ ଆଉ ଥରେ ଯାଁଚ କରିଛନ୍ତି । ସେପଟେ ଏନେଇ ପୁଲିସକୁ କେତେକ ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । ରାତି ଅଧରେ ନିଆଁ ଜଳୁଥିବା ଓ ଏକ କାର ଠିଆ ହୋଇଥିବା ସେ ଜଣାଇଛନ୍ତି ।
ଏତିକି ନୁହେଁ ଜଣେ ଯୁବତୀ ସେଥିରେ ସାମିଲ ଥିବା ସିଧାସଳଖ ପୁଲିସକୁ କହିଛନ୍ତି । ସେପଟେ ଆଉ ଏକ ପ୍ରଶ୍ନ ମଧ୍ୟ ପୁଲିସକୁ ଚିନ୍ତାରେ ପକାଇଛି । ମୃତ ଉନ୍ମୟଙ୍କ ଗୋଡରେ ଲାଗିଥିବା ଅଳତା ଘଟଣାର ଆଉ କିଛି ମୋଡକୁ ଇସାରା କରୁଛି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଉନ୍ମୟଙ୍କୁ ଫୋନ କରି ଡକାଯାଇଥିଲା । ଏହାପରେ ବାହାଘର କଥା କହି ତାଙ୍କୁ ହତ୍ୟା କରାଯାଇଥିବା ଶୁଣିବାକୁ ମିଳୁଛି । ତେବେ ପୁଲିସ ଏଦିଗ ପ୍ରତି ଖୋଳତାଡ କଲେ ହୁଏତ ସତ କ’ଣ ତାହା ସାମ୍ନାକୁ ଆସିବ ।