ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଲୱେ ଷ୍ଟେସନମାନଙ୍କରେ ମାଗଣା ୱାଇଫାଇ ସେବା ଥିବା ଆପଣମାନେ ଜାଣିଥିବେ ବା ଶୁଣିଥିବେ । କିନ୍ତୁ ଏବେ ଚଳନ୍ତା ଟ୍ରେନରେ ବି ୱାଇଫାଇ ସେବା ଦିଆଯିବାର ପ୍ରସ୍ତୁତି ଚାଲିଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି କି , କେନ୍ଦ୍ରସରକାର ଆଗାମୀ ଚାରିରୁ ସାଢେ ଚାରି ବର୍ଷ ମଧ୍ୟରେ ଟ୍ରେନ୍ ଭିତରେ ୱାଇଫାଇ ସେବା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ଭାରତର ୫୧୫୦ ରେଲୱେ ଷ୍ଟେସନରେ ୱାଇଫାଇ ସେବା ଉପଲବ୍ଧ । ଏହାସହିତ ଆଗାମୀ ବର୍ଷ ଶେଷ ପର୍ଯ୍ୟନ୍ତ ଆମେ ସମସ୍ତ ୬୫୦୦ ଷ୍ଟେସନରେ ୱାଇଫାଇ ସେବା ଉପଲବ୍ଧ କରିବା ପାଇଁ ଚେଷ୍ଟା କରୁଛୁ ।
ଏଏନଆଇ ରିପୋର୍ଟ ମୁତାବକ, ଟ୍ରେନ ଭିତରେ ୱାଇ ଫାଇ ସେବା ଉପଲବ୍ଧ କରିବାକୁ ନେଇ ପ୍ରଶ୍ନ କରାଯିବାରୁ ପିୟୁଷ ଗୋୟଲ କହିଛନ୍ତି କି, ଏହା ଏକ ଅଧିକ ଜଟିଳ ଟେକ୍ନୋଲଜିର ପ୍ରସଙ୍ଗ । ଚଳନ୍ତା ଟ୍ରେନରେ ୱାଇଫାଇ ଉପଲବ୍ଧ କରିବା ପାଇଁ ନିବେଶର ଆବଶ୍ୟକ ରହିଛି, ଟାୱାର ଲଗାଇବାକୁ ପଡିବ ଏବଂ ଟ୍ରେନ୍ ଭିତରେ ବି କିଛି ଉପକରଣ ଫିଟ୍ କରିବାକୁ ପଡିବ । ଏଥିପାଇଁ ଆମକୁ ବୈଦେଶିକ ଟେକ୍ନୋଲଜି ଏବଂ ପୁଞ୍ଜି ନିବେଶକଙ୍କ ଆବଶ୍ୟକ ରହିଛି ।
ଗୋୟଲ ଆହୁରୀ ମଧ୍ୟ କହିଛନ୍ତି କି, ସୁରକ୍ଷା ପାଇଁ ପ୍ରତ୍ୟେକ ବଗିରେ ସିସିଟିଭି ଲାଗିବ । ସିସିଟିଭି ର ଲାଇଭ ଫିଡ ନିକଟବର୍ତ୍ତି ପୋଲିସ ଷ୍ଟେସନକୁ ଯିବ । ଏହାସହିତ ଟ୍ରେନର ପରିଚାଳନା ପାଇଁ ସିଗନାଲ ସିଷ୍ଟମକୁ ବି ୱାଇଫାଇ ର ବ୍ୟବହାର କରାଯିବ । ଆଗାମୀ ଚାରୀରୁ ସାଢେ ଚାରୀ ବର୍ଷ ମଧ୍ୟରେ ଆମେ ଏହି ସୁବିଧା ଆରମ୍ଭ କରିଦେବୁ ।