ଅନୁଗୁଳ ( ଏଟିଆର ବ୍ୟୁରୋ): ଅନୁଗୁଳ ଛେଣ୍ଡିପଦାରେ ଭାଲୁ ଆତଙ୍କ । ଶୌଚ ହେବାକୁ ଯାଇଥିବା ବେଳେ ମାଡି ବସିଲା ଭାଲୁ । ଜଣେ ଗୁରୁତର । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କାଠପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗ୍ରାମର ଯାଦବ ବେହେରା ଆଜି ସକାଳେ ଘରପାଖ ଗାଁ ରାସ୍ତାରେ ଶୌଚ କରିବାକୁ ଯାଉଥିବା ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ତାଙ୍କ ଦୁଇ ଗୋଡରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି ।
ସବୁଠାରୁ ବଡକଥା ହେଉଛି ଏହି ସମୟରେ ସେଠାରେ ବନ୍ୟ ବିଭାଗ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିବା କୁହାଯାଉଛି। ଗୁରୁତର ଅବସ୍ଥାରେ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି । ବାରମ୍ବାର ଏମିତି ଅଘଟଣ ଘଟୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ।