ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ପ୍ରବେଶ କରିଛନ୍ତି କି ଆତଙ୍କବାଦୀ? ଘଟାଇବେ କି କିଛି ବଡ ଧରଣର ଆତଙ୍କରାଜ? ଏହିଭଳି କିଛି ସୂଚନା ଦେଇଛି ଭାରତୀୟ ଗୁଇନ୍ଦା ବିଭାଗ । ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀମାନେ ନେପାଳ ରାସ୍ତା ଉତ୍ତର ପ୍ରଦେଶରେ ପହଁଞ୍ଚିଛନ୍ତି । ପ୍ରାୟ ୭ଜଣ ଆତଙ୍କବାଦୀ ଦେଶ ମଧ୍ୟକୁ ଅନୁପ୍ରବେଶ କରିବା ସହ ଦେଶରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାର ଏକ ବଡ ଧରଣର ଷଡଯନ୍ତ୍ର କରୁଛନ୍ତି ।
ଏହି ଆତଙ୍କବାଦୀମାନେ ଦେଶର ବିଭିନ୍ନ ବଡ଼ ରାଜ୍ୟ ଉପରେ ଆକ୍ରମଣ କରିପାରନ୍ତି । ଏପରିକି ଦିଲ୍ଲୀରେ ମଧ୍ୟ ସେମାନେ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀମାନେ ପୃଥକପୃଥକ ସ୍ଥାନରେ ରହିଥିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ୩ଜଣ ଆତଙ୍କବାଦୀ ନେପାଳ ରାସ୍ତା ଦେଇ ଭାରତକୁ ଅନୁପ୍ରବେଶ କରିଥିଲେ । ଏହି ସମସ୍ତ ଆତଙ୍କବାଦୀମାନେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ ଓ ସେମାନଙ୍କର କିଛି ଫୋନ କଲ ରେକର୍ଡ କରାଯାଇଥିଲା । ଏହି ସୂଚନା ମିଳିବା ପରେ ଦେଶବ୍ୟାପି ପୋଲିସ ସୁରକ୍ଷାକୁ କଡାକଡି କରାଯାଇଛି ।