ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କେଉଁ ହୋଟେଲରେ ଅଗ୍ନି ନିରାପତା ବ୍ୟବସ୍ଥା ନାହିଁ ତାକୁ ଯାଁଚ କର । ସୁନା ଦୋକାନକୁ ନୋଟିସ କର । ଓଲମ ବିଲମ ହେଲେ ସିଧା ସିଲ ବାଡେଇ କାର୍ଯ୍ୟାନୁଷ୍ଠାନ ନିଅ । ଅଗ୍ନି ନିରାପତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନେଇ ଏମିତି ତନାଘନା ଚାଲିଛି । ବିଗତ ଦିନରେ ଅନେକ ହୋଟେଲ ଓ ମଲ ସିଲ ହେବାର ପ୍ରମାଣ ମଧ୍ୟ ରହିଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ଖୋଦ ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା ଫେଲ ମାରିଛି । ତୋଷାଳୀ ପ୍ଲାଜାସ୍ଥିତ ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟରେ ପୂର୍ତ ବିଭାଗ ପକ୍ଷରୁ ଯେଉଁ ନିରାପତା ବ୍ୟବସ୍ଥା କରାଯାଇଛି ତାହା ବିପଦପୂର୍ଣ୍ଣ । ଅର୍ଥାତ ବହୁତଳ ବିଲଡିଂରେ ଥିବା କମିଶନଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଅସୁରକ୍ଷିତ । ଏ କଥା ଆମେ ନୁହେଁ ବରଂ ସରକାରୀ ଚିଠି କହୁଛି । ଏ ସମ୍ପର୍କରେ କ୍ଷୋଭ ପ୍ରକାଶ କରି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଖୋଦ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା । ଏଣୁ ବ୍ୟକ୍ତିଗତ ଭାବେ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜାମୁଡ଼ା ଅନୁରୋଧ କରିଛନ୍ତି । ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଗତକାଲି ପୂର୍ତ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ (ବିଲଡିଂ)ଙ୍କୁ ଅଗ୍ନି ନିରାପତା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଗ୍ନି ନିରାପତା ବ୍ୟବସ୍ଥା ଗ୍ରହଣ କରିବାକୁ ଗତ ବର୍ଷେ ହେଲା ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଏକାଧିକ ଚିଠି ଲେଖାଯାଇଥିଲା । ଏପରିକି ବାରମ୍ବାର ଅନୁରୋଧ ସତ୍ୱେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହାକୁ ନେଇ କମିଶନ କ୍ଷୋଭ ପ୍ରକାଶ କରିଥିଲେ । ଗତ ୨୦୧୭ ସେପ୍ଟେମ୍ବର ମାସରେ କମିଶନ ଏ ସମ୍ପର୍କରେ ମୁଖ୍ୟ ସଚିବଙ୍କୁ ଜଣାଇଥିଲେ । କିନ୍ତୁ କେହି ଶୁଣିନଥିଲେ କିମ୍ବା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପୁଣି କମିଶନଙ୍କ ସଦସ୍ୟ ସଚିବ ରାଜଶ୍ରୀ ମହାନ୍ତି ଗତ ଫେବ୍ରୁଆରୀ ୨୩ ତାରିଖରେ ପୂର୍ତ ବିଭାଗର ଯନ୍ତ୍ରୀମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ପୂର୍ତ ଡିଭିଜନ ୧ର ନିର୍ବାହୀ ଯନ୍ତ୍ରୀ ଅଗ୍ନି ନିରାପତା ବ୍ୟବସ୍ଥା କରାଯିବା ନେଇ ବ୍ୟୟ ଅଟ୍ଟକଳ ଦେଇ ସାରିଛନ୍ତି । ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ । ଶେଷରେ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେଉଁ ବ୍ୟବସ୍ଥା ଗ୍ରହଣ କରାଗଲା ସେଥିରେ ଘୋର ତ୍ରୁଟି ଥିବା କମିଶନ ଦର୍ଶାଇଛନ୍ତି ।
ତେବେ ତୋଷାଳୀ ପ୍ଲାଜାରେ ଥିବା ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟରେ ଅଗ୍ନି ନିରାପତା ବ୍ୟବସ୍ଥା ପାଇଁ ପୂର୍ତ ବିଭାଗର ଭୁବନେଶ୍ୱର ଡିଭିଜନ ୧ ପକ୍ଷରୁ ମୁଖ୍ୟଯନ୍ତ୍ରୀ (ବିଲଡିଂ)ଙ୍କୁ ବ୍ୟୟ ଅଟ୍ଟକଳ ଦିଆଯାଇଥିଲା । ମୁଖ୍ୟ ସଚିବଙ୍କୁ କମିଶନ ଅଧ୍ୟକ୍ଷ ଶ୍ରୀ ଜାମୁଡ଼ା ଲେଖିଥିବା ଚିଠିରେ କହିଛନ୍ତି ଯେ, ‘ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ କୌଣସି ଯାଁଚ ନକରି କିମ୍ବା ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ ନକରି କେବଳ କାର୍ଯ୍ୟାଳୟର କିଛି ଅଂଶରେ ଫାୟାର ଏକ୍ସଟିଙ୍ଗୁଇସର ରଖି ଦେଇଛନ୍ତି । ଯାହା ଦ୍ୱାରା ଉଚ୍ଚ ଅଟ୍ଟାଳିକାରେ ଥିବା ଏହି କାର୍ଯ୍ୟାଳୟ ସଠିକ ଅଗ୍ନି ନିରାପତା ବ୍ୟବସ୍ଥା ବିନା ସମ୍ପୂର୍ଣ୍ଣ ଅସୁରକ୍ଷିତ’ । ରାଜ୍ୟ ଫାୟାର ସର୍ଭିସ ପକ୍ଷରୁ ବିଭିନ୍ନ ଘରୋଇ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତା ବ୍ୟବସ୍ଥା ନେଇ ବ୍ୟାପକ ଯାଁଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଖୋଦ ଖାଦ୍ୟ କମିଶନଙ୍କ କାର୍ଯ୍ୟାଳୟ ଅସୁରକ୍ଷିତ ବୋଲି ଅଧ୍ୟକ୍ଷ ଅଭିଯୋଗ ଆଣିବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।