ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ବିମାନବନ୍ଦରରୁ ଜବତ ହେଲା ସୁନା । କଷ୍ଟମ ବିଭାଗ ଆଜି ୨ଜଣ ଯୁବକଙ୍କୁ ଧରିବା ପରେ ସେମାନଙ୍କ ପାଖରୁ ୪ଶହ ଗ୍ରାମରୁ ଅଧିକ ସୁନା ଜବତ ହୋଇଥିବା ସୂଚନା ମିଳିଛି । ବଡ଼କଥା ହେଉଛି ଏଥରକ ସୁନା ଉପରେ ସିଲଭର ଲେପ ଦେଇ ଅଭିଯୁକ୍ତମାନେ ସୁନା ଆଣିଥିବା ଜାଣିବାକୁ ପାଇଛି କଷ୍ଟମ ବିଭାଗ ।
ଏୟାରଇଣ୍ଡିଆ ବିମାନରେ ଅଭିଯୁକ୍ତଦ୍ୱୟ ଆସି ସକାଳ ପ୍ରାୟ ୬ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଁଚିଥିଲେ । ତେବେ ସେମାନଙ୍କ ପାଖରେ ସୁନା ଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା କଷ୍ଟମବିଭାଗ । ଯାଁଚ କରିବା ପରେ ଉଭୟଙ୍କଠୁ ସୁନା ଜବତ ହୋଇଛି । ତେବେ ଏମାନେ କେଉଁଠୁ ସୁନା ଆଣିଥିଲେ? କୁଆଡେ ନେବାର ଥିଲା? ସେନେଇ କିଛି ଠୋସ ତଥ୍ୟ ମିଳିନଥିବା ବେଳେ ଏନେଇ ତଦନ୍ତକୁ ଜୋରଦାର କରିଛି କଷ୍ଟମ ବିଭାଗ । ଗତ ୭ଦିନ ଭିତରେ ୪ରୁ ଅଧିକ ଥର ସୁନା ଜବତ ହେବା ଘଟଣା ମୁଣ୍ଡ ବିନ୍ଧାର କାରଣ ହୋଇଛି କଷ୍ଟମବିଭାଗ ପାଇଁ । ଏହି ସୁନା ସ୍ମଗଲିଂର ଚେର କେଉଁଠୁ ଓ କେତେବାଟ ଲମ୍ବିଛି ତାର ଖୋଳତାଡ ହେବା ନିହାତି ଦରକାର ବୋଲି ଦାବି ହୋଇଛି ।