ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବହୁ କଳ୍ପନା ଜଳ୍ପନା ଓ ଆଲୋଚନା ପରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରାଯିବ । ମହାରାଷ୍ଟ୍ର ନିର୍ବାଚନ ଶେଷ ହେବା ପରେ କିଏ ସରକାର ଗଠନ କରିବ ସେଥିପାଇଁ ବହୁ ଦଳ ବରିଷ୍ଟ ନେତା ମାନେ ଘନ ଘନ ନିଜ ନିଜଙ୍କ ମଧ୍ୟରେ ଆଲୋଚନା କରୁଥିଲେ । ଶେଷରେ ନୂତନ ସରକାର ଗଠନ ନେଇ ସୃଷ୍ଟି ହୋଇଥିବା ସମସ୍ତ ଅଚଳାବସ୍ଥାର ଅବସାନ ଘଟିଛି । ତେବେ ବର୍ତ୍ତମାନ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବେ । ଏହାକୁ ନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ଆଜି ଅପରାହ୍ନରେ ଘୋଷଣା କରିଛନ୍ତି । ଏହି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରିବାକୁ ନେଇ ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ ସବୁ ଆଲୋଚନା ଶେଷ ହୋଇଯାଇଛି ।
ନୂତନ ସରକାର ରୂପରେଖ ସଂପର୍କରେ ଶ୍ରୀ ରାଉତ କହିଛନ୍ତି ଯେ, ଶିବସେନା ଓ ଏନସିପି ୨.୫ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ପ୍ରଥମ ପାଳିରେ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ସେନେଇ ନିଷ୍ପତି ହୋଇନାହିଁ । ଅନ୍ୟପଟେ କଂଗ୍ରେସ ନୂତନ ସରକାର ରେ ୫ବର୍ଷ ଉପ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବ ବୋଲି ନିଷ୍ପତି କରାଯାଇଛି । ସେହିପରି ବାଚସ୍ପତି ପଦ ପାଇଁ ଶିବସେନା ଓ ଏନସିପି ମଧ୍ୟରେ କିଏ ସମ୍ଭାଳିବ ତାହା ଚୂଡାନ୍ତ ହୋଇନାହିଁ । ତେବେ ଏନସିପି ସୁପ୍ରିମୋ ଶରଦ ପୱାର କହିଛନ୍ତି ଯେ, ଆଗାମି ୫ ବର୍ଷ ପାଇଁ ଏହି ମିଳିତ ସରକାର ରାଜ୍ୟକୁ ସ୍ଥିର ଓ ସ୍ଥାୟୀ ସରକାର ଦେବ । ଆସନ୍ତା ୨୩ ତାରିଖ ଦିନ ଶିବସେନା-ଏନସିପି-କଂଗ୍ରେସ ସମସ୍ତ ନିର୍ବାଚିତ ବିଧାୟକ ମାନଙ୍କର ସ୍ୱାକ୍ଷର ସମ୍ବଳିତ ଏକ ଦାବୀପତ୍ର ନୂତନ ସରକାର ଗଠନ ନିମନ୍ତେ ରାଜ୍ୟପାଳ ଭଗତ ସିଂହ କୋଶୀୟାରୀଙ୍କୁ ପ୍ରଦାନ କରାଯିବ । ତେବେ ଏହା ପରେ ୨୪ କିମ୍ବା ୨୫ ତାରିଖ ଦିନ ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।