ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଚର୍ଚ୍ଚାରେ ଉପରାଷ୍ଟ୍ରପତିଙ୍କ ବୟାନ । ବିଶ୍ୱବିଦ୍ୟାଳୟ ଗୁଡିକରେ ହେଉଥିବା‘ବିଫ୍ ଫେଷ୍ଟିଭାଲ୍’ ଏବଂ ‘କିସ୍ ଅଫ୍ ଲଭ୍’ କୁ ସମାଲୋଚନା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଏହା ଏକ ଅସ୍ୱାସ୍ଥ୍ୟକର ଟ୍ରେଣ୍ଡ ବୋଲି ସେ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ଜାତି , ଧର୍ମ , ବର୍ଣ୍ଣ , ସଂସ୍କୃତି ଓ ଖାଦ୍ୟ ପସନ୍ଦ ବିଷୟକୁ ନେଇ ଚିନ୍ତା ଜାହିର କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ।
ସେହିପରି ଯଦି କେହି ଗୋଟିଏ ନିଦ୍ଧିଷ୍ଟ ଖାଦ୍ୟ ପସନ୍ଦ କରୁଛି ଓ ଏହାକୁ ନେଇ ସେ ଉତ୍ସବ ମନାଇବାକୁ ଚାହୁଁଛି ତେବେ ସେ ବ୍ୟକ୍ତିଗତ ପାର୍ଟିର ଆୟୋଜନ କରିପାରିବ କିନ୍ତୁ ଏହାକୁ ନେଇ ସର୍ବସାଧାରଣ ପ୍ରସଙ୍ଗ କରିବା ଠିକ ନୁହେଁ ବୋଲି ଶ୍ରୀ ନାଇଡୁ କହିଛନ୍ତି । ସେ ୱାରାଙ୍ଗାଲ୍ ର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ହୀରକ ଜୟନ୍ତି ଉତ୍ସବରେ ଯୋଗଦାନ କରି ଏପରି ମତ ରଖିଛନ୍ତି ।
ଖାଲି ସେତିକି ନୁହେଁ ଚୁମ୍ବନକୁ ନେଇ ଶ୍ରୀ ନଇଡୁ ଦେଇଥିବା ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ‘କିସ୍ ଅଫ୍ ଲଭ୍’ କୁ ନେଇ ସେ ଏହି ଅବସରରେ ନିଜ ମତ ରଖିଛନ୍ତି । ଯଦି କିସ କରିବାର ଅଛି ତେବେ ନିଜ ରୁମରେ ଯାଇ କିସ କରିବାକୁ ସେ କହିଛନ୍ତି । ତେବେ ସର୍ବସାଧାରଣ ସ୍ଥାନରେ ଚୁମ୍ବନକୁ ସେ ବିରୋଧ କରିଛନ୍ତି । ସେହିପରି ଭାରତର ଅର୍ଥନୀତିକୁ ନେଇ ସେ ଅନେକ କିଛି କହିଛନ୍ତି । ଭାରତ ୨୦୨୫ ସୁଦ୍ଧା ୫୦ ଲକ୍ଷ କୋଟି ଡଲାର ଅର୍ଥନୀତିର ରାଷ୍ଟ୍ର ହେବା ସହ ବିଶ୍ୱର ତୃତୀୟ ବୃହତ ଖାଉଟି ବଜାର ହେବାକୁ ଯାଉଛି ବୋଲି ସେ ଏହି ଅବସରରେ କହିଛନ୍ତି । ଭାରତ ଏକ ସର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏଠାରେ ବହୁ ଧର୍ମର ଲୋକମାନେ ବାସ କରୁଛନ୍ତି । ଧର୍ମ ଏକ ଜୀବନ ଶୈଳୀ ଓ ବ୍ୟକ୍ତିଗତ ବ୍ୟାପାର ବୋଲି ସେ କହିଛନ୍ତି । ସମସ୍ତେ ସବୁ ଧର୍ମକୁ ସମ୍ମାନ ଦେବା ସହ ଧର୍ମ ବିରୋଧୀ ହିଂସାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।