ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ଧାନ କିଣାର ଅନିୟମିତତାକୁ ନେଇ ହଟ୍ଟୋଗଳ ହୋଇଥିଲା । ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧକରି ଦୀର୍ଘଦିନ ହେବ ଚାଷୀମାନେ ଆନ୍ଦୋଳନ କରିଆସୁଛନ୍ତି । ସମଗ୍ର ରାଜ୍ୟରେ ଏହି ଟୋକନ ବ୍ୟବସ୍ଥାକୁ ବିରୋଧ ଜାରୀ ରହିଥିବା ବେଳେ, ଆଜି ସମ୍ବଲପୁରର ଚାଷୀମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତିି । ଆନ୍ଦୋଳନ ପ୍ରତ୍ୟାହାର ପୂର୍ବରୁ ସମ୍ବଲପୁରର ବରେଇ ପାଲିଠାରେ ଚାଷୀମାନେ ରାଜରାସ୍ତା ଉପରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା । ଚାଷୀ ପ୍ରତିନିଧିଙ୍କର ବସିଥିବା ବୈଠକ ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇଥିଲେ ଆବାହକ ଅଶୋକ ପ୍ରଧାନ ।
ମିଳିଥିବା ସୂଚନା ମୁତାବକ, ମନ୍ତ୍ରୀ ବିଧାୟକଙ୍କ ଠାରୁ ଟୋକନ ବ୍ୟବସ୍ଥାକୁ ସରଳୀକରଣ କରାଯିବାର ପ୍ରତିଶୃତି ମିଳିବା ପରେ ଚାଷୀମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ । ଗ୍ରାମ ଉନ୍ନୟନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ବିଜେଡି ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ବରେଇ ପାଲିରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ମନ୍ତ୍ରୀ ଓ ବିଧାୟକ ଟୋକନ ବ୍ୟବସ୍ଥାକୁ ସରଳୀକରଣ କରାଯିବା ସହ ଚାଷୀମାନେ ଯେତେ ପରିମାଣରେ ଧାନ ଆଣିଲେ ବି ଏହାକୁ ସରକାରଙ୍କ ପକ୍ଷରୁ ସଂଗ୍ରହ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।