ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାସ୍ତା ଉପରେ ଚାଲିଥିଲା ପାର୍ଟି । ଉଡୁଥିଲା ଗୋଟିଏ ପରେ ଗୋଟିଏ ବିୟର । ମାତାଲ ଅବସ୍ଥାରେ ଟହଲ ମାରୁଥିଲେ ଯୁବକ । ଏତିକି ନୁହେଁ ରାସ୍ତାରେ ଯାଉଥିବା ଲୋକଙ୍କୁ ଗାଳିମନ୍ଦ କରିବାକୁ ବି ପଛାଉନଥିଲେ ଏମାନେ । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ । ହେଲେ ସମସ୍ତେ ଥିଲେ ନଛୋଡବନ୍ଧା । ପୁଲିସକୁ ଦେଖି ମଧ୍ୟ ଖାତିର କରିନଥିଲେ ।
ଓଲଟି ଡ୍ୟୁଟିରେ ଥିବା ଜଣେ ଏସଆଇଙ୍କୁ ଧମକ ଦେଇଥିଲେ । ହାତ ମାରିଲେ ଚାକିରି ରହିବନି ବୋଲି ସିଧାସଳଖ ଧମକ ଶୁଣାଇଥିଲେ । ବାଧ୍ୟ ହୋଇ ପୁଲିସ ସେମାନଙ୍କୁ ପ୍ରଥମେ ତାଗିଦ ଓ ପରେ ଫାଇନ କାଟି ଛାଡିଦେଇଥିଲେ ମଧ୍ୟ ସେମାନଙ୍କ ମୁଣ୍ଡରୁ ନିଶା ଖସିନଥିଲା । ଓଲଟି ଡ୍ୟୁଟିରେ ଥିବା ଅଫିସରଙ୍କୁ ଗାଳିମନ୍ଦ କରିବା ସହ ପୁଲିସ ବ୍ୟାଗ ଓ ଲ୍ୟାପଟପ ଚୋରି କରିଥିବା ନେଇ ଅଭିଯୋଗ ଉଠାଇଥିଲେ । ଏହି ଘଟଣାକୁ ନେଇ ବେଶ କିଛି ସମୟ ନାକେଦମ ହେବାକୁ ପଡିଥିଲା ପୁଲିସକୁ । ସବୁଠୁ ବଡ଼ କଥା ହେଉଛି ଥାନାକୁ ଆସି ମଧ୍ୟ ୩ଜଣ ଯୁବକ ହଙ୍ଗାମା କରିବାକୁ ବି ପଛାଇନଥିଲେ ।
ପୁଲିସ ୩ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ, କିଛିଦିନ ହେବ ପୁଲିସ ଉପରେ ଯିଏ ନାହିଁ ସିଏ ତୋଡ ଦେଖାଉଛି । ଉଚିତ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ହୋଇଛି । ନଚେତ ଆଗକୁ ଅନ୍ୟମାନେ ମଧ୍ୟ ପୁଲିସକୁ ଖାତିର କରିବେ ନାହିଁ ବୋଲି ଉପସ୍ଥିତ ଲୋକେ ମତ ରଖିଛନ୍ତି ।