ରାୟଗଡା(ଏଟିଆର ବ୍ୟୁରୋ): ଗତ ୧୯ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏସ.ରାମପୁର ଗ୍ରାମର ଯୁବକ ବିଭୁତି ପୁଜାରୀଙ୍କୁ ଧାନବାଦ-ଆଲଫୁଜା ଟ୍ରେନରୁ ଏକ ଅପହରଣକାରୀ ଗ୍ୟାଙ୍ଗ ଅପହରଣ କରିନେଇ ଥିଲେ । ବିଭୁତି ବିଶାଖାପାଟଣା ରୁ ଟିଟିଲାଗଡ ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଥିଲା । ଏହା ପରେ ବିଭୁତିଙ୍କ ଘର ଲୋକଙ୍କୁ ଅପହରଣକାରୀ ମାନେ ୧୦ଲକ୍ଷ ଟଙ୍କା ମାଗିବା ସହ ଟଙ୍କା ନ ଦେଲେ ବିଭୁତିଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ବିଭୁତିଙ୍କ ବାପା ପଂଚାନନ ପୁଜାରୀ ରାୟଗଡା ଥାନାରେ ଅଭିଯୋଗ କରି ଥିଲେ । ଏହା ପରେ ରାୟଗଡା ପୋଲିସ ଘଟଣାଟିର ତଦନ୍ତ ଆରମ୍ଭ କରିଥିଲେ ।
ତେବେ ଆଜି ସକାଳୁ ରାୟଗଡା ବ୍ଲକ ବାରିଝୋଲା ଜଙ୍ଗଲରୁ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭୁତିଙ୍କୁ ଉଦ୍ଧାର କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବା ବେଳେ ଅନ୍ୟ ତିନି ଜଣ ହେଉଛନ୍ତି ରାୟଗଡା ସହରର ସୁଣ୍ଡି ସୁରଜ, କୋତାପେଟାର ସୁଣ୍ଡି ପ୍ରକାଶ ଓ ଜି.ଓ ସୁରେଶ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗର ଅନ୍ୟ ୫ଜଣ ସଦସ୍ୟ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏହା ସହ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ଅଟୋ, ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ଏହାକୁ ନେଇ ରାୟଗଡା ଏସପି ଶର୍ବଣା ବିବେକ. ଏମ ସୂଚନା ଦେଇଛନ୍ତି ।