ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସକାଳେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଥିବା ଯୁବକକୁ ଶେଷରେ ଉଦ୍ଧାର କରିଛି ପୋଲିସ । ଆଜି ସକାଳେ ଜଣେ ଯୁବକ କୌଣସି ପ୍ରକାରେ ଉକ୍ରଳ ବିଶ୍ୱ ବିଦ୍ୟାଳୟର ପରିଜା ଲାଇବ୍ରେରି ଉପର ଛାତକୁ ଚଢି ଯାଇଥିଲେ । ସେଠାରେ ରହି ଡେଇଁ ପଡି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ । ଯାହାକୁ ନେଇ ସକାଳ ଠାରୁ ଚର୍ଚ୍ଚା ଜୋର ଧରିଥିଲା । ଦୀର୍ଘ ୫ ଘଣ୍ଟା କାଳ ପୋଲିସ ଦମକଳ ବାହିନୀ ବହୁ ପ୍ରଚେଷ୍ଟା କଲେ ମଧ୍ୟ ସେ ଓହ୍ଲାଇବାର ନାଁ ଧରୁ ନଥିଲା ।
ତେବେ ଏକ ସ୍ୱତନ୍ତ୍ର କ୍ରେନ ଜରିଆରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ ମିଳିତ ଉଦ୍ୟମରେ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ତାକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଏହି ଅଜଣା ଯୁବକର ପରିଚୟ ମିଳିଛି । ତାର ନାଁ ସୁବୋଧ କୁମାର ବାରିକ ବୋଲି ଜଣା ପଡିଛି । ତାର ଘର କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ । ସେ ଗତ କିଛି ଦିନ ତଳେ ଭୁବନେଶ୍ୱରରୁ ହଠାତ ନିଖୋଜ ହୋଇ ଯାଇଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ସେ ପୋଷ୍ଟାଲ ବିଭାଗରେ ପୂର୍ବରୁ ଚାକିରି ମଧ୍ୟ କରିଥିଲେ । କୌଣସି କାରଣ ପାଇଁ ତାକୁ ଚାକିରିରୁ ବାହାର କରି ଦିଆଯାଇଥିଲା । ସେ ଜଣେ ମାନସିକ ଚାପଗ୍ରସ୍ତ ବୋଲି କୁହାଯାଉଛି ।