ପୁରୀ (ଏଟିଆର ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହସ୍ଥଳିରେ ପରିଣତ କରିବା ଓ ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ୭୫ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଘର , ମଠ, ଦୋକାନ ବାଡିର ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହ ବିସ୍ଥାପିତଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉଛି । ହେଲେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ସମୟ ସୀମା ଡିସେମ୍ବର ୨ତାରିଖରେ ଶେଷ ହେବାକୁ ଯାଉଛି ।
ଏହି ଜମି ଅଧିଗ୍ରହଣରେ ପାଖାପାଖି ୧୮୫ଟି ପରିବାର ବିସ୍ଥାପିତ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୫୫ଟି ପରିବାର ଜମି ବିକ୍ରି କରିଛନ୍ତି । ଅନ୍ୟ ୬୦ଟି ପରିବାର ଜମି ବିକ୍ରି କରିବାକୁ ରାଜି ନଥିବା ବେଳେ ପ୍ରଶାସନ ସେମାନଙ୍କ ସହ ଆଲୋଚନା ଜାରି ରଖିଛି । ଯଦି ଅବଶିଷ୍ଟ ଜମି ଡିସେମ୍ବର ୨ତାରିଖରେ ନଦେଲେ ତେବେ ସେମାନଙ୍କୁ ଦଶ ପ୍ରତିଶତ ଅଧିକ ଲାଭ ମିଳିବ ନାହିଁ କି ପ୍ୟାକେଜ ମଧ୍ୟ ମିଳିବ ନାହିଁ ।
ଅନ୍ୟପଟେ ୧୮ଟି ମଠର ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ପ୍ରଥମେ ଉତ୍ତର ପାଶ୍ୱର୍ ମଠ, ରାଧା ବଲ୍ଲବ ମଠ, କଟକୀ ମଠ, ଦକ୍ଷିଣପାଶ୍ୱର୍ ମଠ ଜମି ଅଧିଗ୍ରହଣ କରାଯିବା ସହ ସେମାନଙ୍କର ଘରର ମୂଲ୍ୟ ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ । ଭଙ୍ଗା ହେଉଥିବା ମଠର ସ୍ଥିତି , ପରମ୍ପରା ଓ ଇତିହାସ କିଭଳି ଉଜ୍ଜୀବିତ ରହିବ ସେଥିପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମଠାଧୀଶ ମାନେ କହିଛନ୍ତି । ସେହିପରି ମଠ ଗୁଡିକର ପୁନର୍ବିନ୍ୟାସ କରିବା ପାଇଁ ସମସ୍ତ ପଦକ୍ଷପ ନିଆ ଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।