ବାରିପଦା ( ଏଟିଆର ବ୍ୟୁରୋ): ଜଣେ ବିଧବା ମହିଳାଙ୍କୁ ସିନ୍ଦୂର ପିନ୍ଧାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏନେଇ ବିଧବା ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସଦର ଥାନା ଢିଙ୍କିନିଡିହା ଗ୍ରାମରେ । ଗ୍ରାମର ଜଣେ ଯୁବତୀ ଗତ କିଛି ବର୍ଷ ତଳେ ଅନ୍ୟ ଗ୍ରାମରେ ବିବାହ କରିଥିଲେ । ମାତ୍ର କୌଣସି କାରଣ ନେଇ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ପରେ ସେ ନିଜ ବାପ ଘରେ ରହି ଆସୁଥିଲେ । ସେଠାରେ ସେହି ଗ୍ରାମର ଗୌତମ ବେହୁରୀ ନାମକ ଜଣେ ଯୁବକ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ ।
ଏମିତିକି ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇ ଆସୁଥିଲେ । ହେଲେ ମହିଳା ଜଣଙ୍କ ଏହାକୁ ବିରୋଧ କରୁଥିଲେ । ତେବେ ଶନିବାର ଦିନ ଯୁବକ ଜଣଙ୍କ ସବୁ ସୀମାରେଖା ଟପି ଯାଇଥିଲେ । ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ । ଯେଉଁ ଘଟଣାକୁ ନେଇ ମହିଳା ଜଣଙ୍କ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଏନେଇ ମହିଳା ଜଣଙ୍କ ବାରିପଦା ସଦର ଥାନାରେ ମାମଲା ଦାୟର କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତିକରି ଯୁବକ ନାମରେ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ମିଳିଛି ।