ପୁରୀ (ଏଟିଆର ବ୍ୟୁରୋ): ଶ୍ରୀ କ୍ଷେତ୍ର ପୁରୀରେ ପୋଲିସର ପରିଚୟ ଦେଇ ଗଣ ବଳାତ୍କାର କରି ଯେଉଁ ଲଜ୍ଜା ସୃଷ୍ଟି ହୋଇଥିଲା ତାହା ସଭିଙ୍କ ମନରେ ପୋଲିସ ପ୍ରତି ଏକ କ୍ଷୋଭର ଭାବନା ସୃଷ୍ଟି କରିଛି । ବିପଦରେ ପଡିଲେ ସଭିଏଁ ପୋଲିସର ସହାୟତା ନେଉଥିବା ବେଳେ ଯଦି ରକ୍ଷକ ଭକ୍ଷକ ସାଜିବ ତେବେ ସାଧାରଣ ଲୋଟିଏ ଯିବ ତ ଯିବ କୁଆଡେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିମାପଡା ବସଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଜଣେ ଯୁବତୀ ବସକୁ ଅପେକ୍ଷା କରିଥିବା ବେଳେ, ୪ଜଣ ଯୁବକ ପୋଲିସର ପରିଚୟ ଦେଇ ସାଙ୍ଗରେ ବସାଇ ନେଇଥିଲେ । ପରେ ଝାଡେଶ୍ୱରୀ କ୍ଲବ ନିକଟ କ୍ୱାଟରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ ।
ଯୁବତୀ ଜଣଙ୍କ କୌଣସି ମାତ୍ରାରେ ସେଠାରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି । ତେବେ ଏହି ମାମଲାରେ ମୋଟ ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୨୦ ଦିନ ଭିତରେ ମାମଲାର ଚାର୍ଜସିଟ କରିବାକୁ ବ୍ୟବସ୍ଥା କରୁଛୁ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏକ ପ୍ରେସମିଟ ମାଧ୍ୟମରେ କହିଛନ୍ତି । ଏହାକୁ ସ୍ପେଶାଲ କେସ ରୂପେ ଗ୍ରହଣ କରାଯିବା ସହ ଏଥିପାଇଁ ୪ଟି ଟିମ ଗଠନ କରାଯାଇଛି । ଏହାସହ ଚାକିରୀ ନଥାଇ ସେ ପୋଲିସ ପରିଚୟପତ୍ର ବ୍ୟବହାର କରୁଥିବାରୁ ଏହି ବାବଦରେ ମଧ୍ୟ ଏକ ମାମଲା ରୁଜୁ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି ।