ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆପାର୍ଟମେଁଟରୁ ପଡି ମହିଳାଙ୍କ ମୃତୁ ଘଟଣାରେ ପୁଲିସ ସ୍କାନରକୁ ଆସିଥିବା ଶଶାଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଶଶାଙ୍କ ସବୁ ସତ କହୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେପଟେ ଏହି ଘଟଣାକୁ ମାନିବାକୁ ନାରାଜ ମୃତ ମହିଳାଙ୍କ ପରିବାର ଲୋକ ।
କେଉଁଠି ନା କେଉଁଠି ପୁଲିସର କିଛି ଲାଖୁନା ଯୋଗୁ ମାମଲା ଧୀରେ ଧୀରେ ଚପିଯାଉଥିବା ସେମାନେ ସନ୍ଦେହ କରୁଛନ୍ତି । ନିତ୍ୟପ୍ରମୋଦ ଆପାର୍ଟମେଁଟରେ ଘଟିଥିବା ଏହି ଘଟଣା ଯେତିକି ସାଙ୍ଘାତିକ ନଥିଲା ତା’ଠୁ ଅଧିକ ଶଶାଙ୍କର ଆବାଭାବ ରହସ୍ୟମୟ ଥିଲା । ସିସିଟିଭି ଫୁଟେଜ ଓ ମୃତ ମହିଳାଙ୍କୁ ଉଠାଇ ଗାଡିରେ ଭର୍ତି କରିବା ଓ ରାତି ଅଧରେ ଚକ୍କର କାଟି ଗାଡିକୁ ପୁଣି ଆପାର୍ଟମେଁଟରେ ରଖି ଶଶାଙ୍କ ସ୍କୁଟି ନେଇଯିବା ଘଟଣା ଅନେକ ପ୍ରଶ୍ନ ଉଠାଇଥିଲା । ଏହି କାରଣରୁ ମୃତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠିବା ପରେ ପୁଲିସ ଶଶାଙ୍କକୁ ଜେରା କରି ଶେଷରେ ପଲିଗ୍ରାଫ ଟେଷ୍ଟ କରାଇଥିଲା । ତେବେ ଟେଷ୍ଟ ରିପୋର୍ଟରେ ସେମିତି କିଛି ସୁରାକ ମିଳିନଥିବା ଜଣାପଡିଛି ।