ବଲାଙ୍ଗିର (ଏଟିଆର ବ୍ୟୁରୋ): ବିଶ୍ୱାସରେ ବିଷ ଦେଲେ ମହିଳା । ବିଶ୍ୱାସ ଜିତି ଠକି ନେଲେ ୭୦ଲକ୍ଷ ଟଙ୍କା । ଏହିଭଳି କିଛି ଅଭିଯୋଗ ଆସିଛି ବଲାଙ୍ଗିରର ଗାନ୍ଧୀ ନଗର ପଡ଼ାରୁ । ମିଳିଥିବା ସୂଚନା ମୁତାବକ, ଆରତି ନାୟକ ନାମକ ଜଣେ ମହିଳା ତାଙ୍କ ପରିବାର ସହ ବଲାଙ୍ଗିର ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରେ ଗତ କିଛି ଦିନ ହେବ ଭଡା ଘରେ ରହି ଆସୁଥିଲେ । ଏହି ସମୟରେ ସାହି ପଡିଶା ଲୋକଙ୍କର ବିଶ୍ୱାସର ପାତ୍ର ମଧ୍ୟ ହୋଇ ଯାଇଥିଲେ । ସବୁ ସ୍ଥାନରେ ତାଙ୍କର ମଧ୍ୟ ଲୋଡା ପଡୁଥିଲା ।
ଏହାର ଫାଇଦା ଉଠାଇ ଆରତି କାହାର ଝିଅର ବାହାଘର କରାଇ ଦେବେ, କାହାକୁ ଚାକିରି କରାଇ ଦେବେ ଓ କାହାର ଜମିବାଡି କରାଇ ଦେବେ କହି ସମସ୍ତଙ୍କ ଠାରୁ ଟଙ୍କା ନେଇଯାଇଥିଲେ । ଏହିଭଳି କହି ପାଖାପାଖି ୫୦ଜଣ ମହିଳାଙ୍କ ଠାରୁ ୭୦ଲକ୍ଷ ଟଙ୍କା ନେଇ ଯାଇଛନ୍ତି ଆରତି । ଟଙ୍କା ନେଇଯିବା ପରେ ଆରତି ନାୟକ କେଉଁ ଆଡେ ଚାଲିଯାଇଥିଲେ । କିଛିଦିନ ହେବ ସେ ନଫେରିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ଆରତୀଙ୍କୁ ଫୋନ କରିଥିଲେ ହେଲେ ଫୋନ ସ୍ୱିଚ ଅଫ ଅଛି ବୋଲି ଜଣାପଡିଥିଲା । ଏହାପରେ ମହିଳା ମାନେ ଠକେଇ ହୋଇଥିବାର ଜାଣି ପାରିଥିଲେ ।ଏବଂ ସଙ୍ଗେ ସଙ୍ଗେ ଉକ୍ତ ଆରତି ନାୟକ ନାମରେ ଏକ ଲିଖିତ ଅଭିଯୋଗ ଟାଉନ ଥାନାରେ କରିଥିଲେ । ପୋଲିସ ଏହି ବାବଦରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।