ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦ ଏନକାଉଣ୍ଟରର ତଦନ୍ତ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ( ଏନଏଚଆରସି) ଟିମ । ଏହି ଟିମ ଆଜି ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏନକାଉଣ୍ଟର ହୋଇଥିବା ସ୍ଥାନ ସମେତ ଶବ ରହିଥିବା ଡାକ୍ତରଖାନା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କେଉଁ ପରିସ୍ଥିତିରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା ସେ ନେଇ ଏହି ଟିମ ତଦନ୍ତ କରିବ । ଅନ୍ୟପଟେ ଏହି ମାମଲାରେ ମୃତ ଦେହକୁ ସଂରକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ ।
ଏନେଇ ଆସନ୍ତା ୯ ତାରିଖରେ କୋର୍ଟରେ ଏକ ଶୁଣାଣୀ ରହିଛି । ସୂଚନାଯୋଗ୍ୟ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗତକାଲି ସକାଳେ ପୋଲିସ ରିକ୍ରିଏସନ ପାଇଁ ମୃତ ଦେହ ମିଳିଥିବା ସ୍ଥାନକୁ ନେଇଥିଲା । ସେଠାରେ ସେମାନେ ପୋଲିସ ଠାରୁ ହତିଆର ଛଡାଇ ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା ବୋଲି ପୋଲିସ ସୂଚନା ଦେଇଥିଲା । ଏନେଇ ସାରା ଦେଶରୁ ପୋଲିସକୁ ପ୍ରଶଂସା ମିଳୁଥିବା ବେଳେ କିଛି ଲୋକ ଓ ସଂଗଠନ ଏହାକୁ ବିରୋଧ କରୁଥିଲେ । ଯାହା ଫଳରେ ଏହି ମାମଲା ହାଇକୋର୍ଟ ଯାଇଥିଲା ।