ଭୁବନେଶ୍ୱର (ଏଯିଆର ବ୍ୟୁରୋ): ଓଡିଶାରେ ପ୍ରତିଷ୍ଠା ହେବ ଆଉ ତିନୋଟି ନୂଆ ବିମାନ ବନ୍ଦର । କେନ୍ଦ୍ର ସରକାର ଓଡିଶାରେ ୩ଟି ନୂଆ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି । ଜୟପୁର, ରାଉଲକେଲା ଓ କଳାହାଣ୍ଡିର ଉତକେଲା ଠାରେ ଏହି ନୂତନ ବିମାନ ବନ୍ଦର ପ୍ରତିଷ୍ଠା କରାଯିବ । ଗତକାଲି ଲୋକସେବା ଭବନରେ କେନ୍ଦ୍ର ବିମାନ ସଚିବଙ୍କ ସହ ମୁଖ୍ୟ ସଚିବଙ୍କର ଏକ ବୈଠକ ବସିଥିଲା । ଏହି ବୈଠିକରେ ରାଜ୍ୟରେ ଥିବା ଛୋଟ ଛୋଟ ସହର ମଧ୍ୟରେ ବିମାନ ସେବା ଯୋଗାଇ ଦେବା ପାଇଁ ଆଲୋଚନା ହୋଇଥିଲା । ତେବେ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ଆବଶ୍ୟକ ପଡୁଥିବା ଭିତ୍ତିଭୂମି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।
କେନ୍ଦ୍ର ବିମାନ ସଚିବ ପ୍ରଦୀପ ସିଂହ ଖାରୋଲା ଏହି ସବୁ ବିମାନ ବନ୍ଦର ଗୁଡିକ ଉଡାଣ ୪ ଯୋଜନାରେ ପ୍ରତିଷ୍ଠା କରାଯିବ ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଥିଲେ । ଆଗରୁ ଝାରସୁଗୁଡା ବିମାନବନ୍ଦର ଉଡାଣ୪ରେ ସାମିଲ କରାଯାଇଥିବା ବେଳେ ଏବେ ଏହି ୩ଟି ବିମାନବନ୍ଦରକୁ ସାମିଲ କରାଯିବ । ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ଆଲୋଚନା କରାଯାଇଛି । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । ତେବେ ଏନେଇ ଭାରତୀୟ ବିମାନ ସେବା ପ୍ରାଧୀକରଣ ନିଷ୍ପତ୍ତି ନେବ ବୋଲି କେନ୍ଦ୍ର ବିମାନ ସଚିବ ପ୍ରଦୀପ ସିଂହ ଖାରୋଲା କହିଛନ୍ତି ।