ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଦିନକୁ ଦିନ ବଢିଚାଲିଛି । ପ୍ରତ୍ୟେକ ସ୍ଥାନରେ ମହିଳା ଅସୁରକ୍ଷିତ । ପାଦେ ପାଦେରେ ମହିଳାଙ୍କ ପାଇଁ ବିପଦ । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ପରେ ଏବେ ସିକ୍କିମ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ଆଗକୁ ଆସିଛି । ସିକ୍କିମ ପୋଲିସ ପକ୍ଷରୁ ମହିଳାମାନଙ୍କ ପାଇଁ ରାତିରେ ମାଗଣା ଯାତ୍ରା ସୁବିଧା ଆରମ୍ଭ କରାଯାଇଛି । ଯଦି କୌଣସି ମହିଳା ରାଜ୍ୟରେ ରାତିରେ ଏକୁଟିଆ ଯାତ୍ରା କରୁଛନ୍ତି ଏବଂ କୌଣସି ଗାଡି ମିଳୁନାହିଁ, ତେବେ ତାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପୋଲିସ ମାଗଣାରେ ଛାଡିକି ଆସିବ ।
ଏନେଇ ଜଣେ ଅଧିକାରୀ କହିଛନ୍ତି, ଏହି ଯୋଜନା ରବିବାର ଦିନ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁଭାରମ୍ଭ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ ହେଉଛି ରାତିରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କୁ ମାଗଣାରେ ସେବା ଯୋଗାଇବା । ସେ ଆହୁରୀ ମଧ୍ୟ କହିଛନ୍ତି , ଯଦି କୌଣସି ମହିଳା ରାସ୍ତାରେ ହଇରାଣ ହେଉଛନ୍ତି ଟ୍ୟାକ୍ସି ମିଳୁନାହିଁ ତେବେ ସେ ଏବେ ପୋଲିସ ହେଲ୍ପଲାଇନ ନମ୍ବର ୧୦୯୧ ଏବଂ ୭୮୩୭୦୧୮୫୫୫ ରେ ଫୋନ୍ କରିପାରିବେ । ପୋଲିସକୁ ମହିଳାଙ୍କ ଫୋନ୍ ଆସିବା ପରେ ନିୟନ୍ତ୍ରଣ କକ୍ଷ ବାହନ କିମ୍ବା ଥାନା ପ୍ରଭାରୀଙ୍କ ବାହନ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଯିବ ।