ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ସମଗ୍ର ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ନୂଆ ନିୟମ ଲାଗୁ ହେବା ଦିନ ଠାରୁ ଲୋକେ ଗାଡି ଧରିବାକୁ ଡରିଲେଣି । ନିୟମ ଉଲ୍ଲଘଂନ କରିବା ମାତ୍ରେ ଗଣିବାକୁ ପଡୁଛି ମୋଟା ଆକାରର ଜରିମାନା । ଓଡିଶାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଓଡିଶାରେ ସେପ୍ଟେମ୍ବର ପହିଲାରୁ ଯେତେବେଳେ ଅଚାନକ ନିୟମକୁ ଲାଗୁ କରାଗଲା ସେତେବେଳେ ଲୋକଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ନିୟମକୁ ତିନିମାସ କୋହଳ କରିଦିଆ ଯାଇଥିଲା । ତିନିମାସ ପୂର୍ଣ୍ଣ ହୋଇ ସାରିବା ପରେ ପୁଣି ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ହେଲେ ଏବେ ବି ଲୋକମାନେ ଟ୍ରାଫିକ ନିୟମ ପ୍ରତି ସଚେତନ ନହୋଉ ନଥିବା ଦେଖିବାକୁ ମିଳୁଛି ।
ଟ୍ରାଫିକ ନିୟମକୁ ଖାତିର ନକରି ଚାଲଣ ମଧ୍ୟ କାଟୁଛନ୍ତି । ଏଥିର କିନ୍ତୁ ରାଜ୍ୟ ବାହାରର ୪୪ଟି ଗାଡି ନିୟମ ଉଲ୍ଲଘଂନ କରି କାଟିଛନ୍ତି ଚାଲଣ । ରାଜ୍ୟ ସଡକ ଓ ପରିବହନ ବିଭାଗ ଦେଇଥିବା ସୂଚନା ମୁତାବକ, ଓଡିଶାକୁ ପର୍ଯ୍ୟଟମାନେ ବିଭିନ୍ନ ବସ ଯୋଗେ ଆସିଥାନ୍ତି । ହେଲେ ଗତ କିଛି ଦିନ ହେବ ରାଜ୍ୟକୁ ଆସୁଥିବା କିଛି ବସ୍ ଙ୍କ ପାଖରେ ଆବଶ୍ୟକୀୟ ଦସ୍ତାବେଜ ନଥିବା ସହ ସେମାନେ ନିୟମ ଉଲ୍ଲେଘଂନ କରୁଥିବା ଦେଖିବାକୁ ମିଳୁଥିବା ଅଭିଯୋଗରେ ଚାଲାଣ କଟିଛନ୍ତି । ଏଥିସହ ସେହି ବସ ଗୁଡକ ବିନା ପରମିଟରେ ଯାତ୍ରା କରୁଥିବା ବେଳେ ବସ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ ହୋଇଛି । ଚାଲଣ କଟା ଯାଇଥିବା ୪୪ଟି ବସ ମଧ୍ୟରୁ ୧୩ଟି ପଶ୍ଚିମବଙ୍ଗର, ଆନ୍ଧ୍ରପ୍ରଦେଶର ୨ଟି, ଛତିଶଗଡର ୧୨ଟି, ଝାଡଖଣ୍ଡ ଓ ମଧ୍ୟପ୍ରଦେଶର ଗୋଟିଏ ଗୋଟିଏ ବସ ଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଓଡିଶାର ୧୩ଟି ବସରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି ।