ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଲିଉଡରେ ଧିରେ ଧିରେ ସଂଗୀତ କଳା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଂଗୀତ ପ୍ରେମୀ ନିଜର ସୁମଧୁର କଣ୍ଠରେ ସଂଗୀତ ଗାନ କରି ଜାତୀୟ ସ୍ତରରେ ପୁରସ୍କୃତ ହେଉଛନ୍ତି । ଠିକ ସେହିଭଳି ଭାବେ ଏକ କୁନି ପ୍ରତିଭାଙ୍କ ନାମ ସାମ୍ନାକୁ ଆସିଛି । ଚଳିତ ବର୍ଷ ଜି ସାର୍ଥକରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ସାରେଗାମାପା ଲିଟିଲ ଚାମ୍ପ- ସ୍ୱର ଓଡ଼ିଶାରେ ୧୩ ବର୍ଷୀୟ ଶୁଭ୍ରାଂଶ ଶୁଭ୍ରଶେଖର ମିଶ୍ର ଅଂଶଗ୍ରହଣ କରି ଶ୍ରେଷ୍ଠ ୬ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଫାଇନାଲ ପର୍ଯ୍ୟାୟରେ ମନୋନିତ ହୋଇଛନ୍ତି ।
ସୂଚନା ମୁତାବକ, ସରକାରୀ କର୍ମକ୍ଷେତ୍ରରେ କାର୍ଯ୍ୟରତ ଥିବା ଶିବ ଶଙ୍କର ମିଶ୍ରଙ୍କ କନିଷ୍ଠ ପୁତ୍ର ଶୁଭ୍ରାଂଶ ସଂଗୀତ ପ୍ରତି ଖୁବ ଆଗ୍ରହୀ । ସେ ଗତବର୍ଷ ଭାରତ ବିକାଶ ପରିଶଦର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରପତିଙ୍କ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଥିଲେ ।
ଏହା ବ୍ୟତୀତ ସେ ଜାତୀୟ ଚ୍ୟାନେଲ ଏଣ୍ଡ ଟିଭିର ଭଏସ ଅଫ ଇଣ୍ଡିଆ- କିଡସ- ୨୦୧୭ରେ ଭାଗ ନେଇ ଶ୍ରେଷ୍ଠ ୨୦ଜଣ ଭିତରେ ରହି ପ୍ରତିଯୋଗିତାରୁ ଓହରି ଯାଇଥିଲେ । ଶୁଭ୍ରାଂଶ ତାଙ୍କ ଗୁରୁ ଶ୍ରୀ ଲଳିତ କୁମାର ପାତ୍ର ଏବଂ ବଡ଼ ଭାଇ ସନ୍ଦୀପ ସୌମ୍ୟଶେଖରଙ୍କ ପ୍ରେରଣା ଯୋଗେ ଆଜି ଏତେ ବଡ଼ ପ୍ଲାଟଫର୍ମରେ ପହଚିଂବାରେ ସକ୍ଷମ ହୋଇଛନ୍ତି ।
ଦୀର୍ଘ ୫ମାସ ଧରି ପ୍ରସାରିତ ହେଉଥିବା ଏହି ରିୟାଲିଟି ସୋର ପାଇନାଲ ଆସନ୍ତା ଏପ୍ରେଲ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସୋରେ ଓଡ଼ିଶାର ୪ଜଣ ଜଜ୍ ପ୍ରତିଯୋଗୀମାନଙ୍କୁ ଚୟନ କରୁଥିବା ବେଳେ ଫାଇନାଲରେ ବଲିଉଡର ଏଭରଗ୍ରୀନ କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତୀ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି ।