ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମଦମାଫିଆଙ୍କ ସହ ହାତ ମିଳାଇ ନିରିହ ବସ୍ତି ବାସିନ୍ଦାଙ୍କ ଉପରେ ଦାଉ ସାଜୁଛି ପୁଲିସ । ପ୍ରତିବାଦ କଲେ ବିନା କାରଣରେ ଯାହାକୁ ନାହିଁ ତାକୁ ଉଠାଇ ଆଣି ଥାନାରେ ବସାଇ ଦିଆଯାଉଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଚନ୍ଦ୍ରଶେଖରପୁର ଥାନା ପୁଲିସ ବିରୋଧରେ ମଙ୍ଗଳା ବସ୍ତିର ଲୋକେ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହୋଇଥିଲେ । ଯାହାର ତଦନ୍ତ କରିବାକୁ ଏବେ କମିଶନର ପୁଲିସ ଡିସିପିଙ୍କୁ ଜଣାଇଛନ୍ତି ।
କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଘଟିଛି ତାହାର ସଠିକ ଦିଗ ଖୋଜିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ବସ୍ତିରେ ଦେଶୀ ମଦ ଭାଟି ଖୋଲି ଲକ୍ଷ୍ମୀଧର ମଲିକ ଚୋରା ମଦ କାରବାର କରୁଥିଲେ । ଯାହାକୁ ବିରୋଧ କରୁଥିଲେ ବସ୍ତିର ଅନ୍ୟମାନେ । ତେବେ ଏନେଇ ମାମଲା ଥାନାରେ ପହଁଚିଥିବା ବେଳେ ପୁଲିସ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତକୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା । ପୁଲିସଠୁ ନିରାଶ ହୋଇ ଲୋକେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ