ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱରରେ ଥିବା ଡମପଡା ଅଭୟାରଣ୍ୟରୁ ବାହାରି ବହୁ ବନ୍ୟପ୍ରାଣୀ ରାଜରାସ୍ତାରେ ବଲୁଥିବାର ଦେଖିବାକୁ ମିଳୁଛି । ଫଳରେ ଭରତପୁର-ଡମପଡା ଅଭୟାରଣ୍ୟକୁ ଲାଗିରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ମଧ୍ୟରେ ଗତ କିଛି ଦିନ ହେବ ଟ୍ରାଫିକ ଜାମ ହେବାର ଦେଖିବାକୁ ମିଳୁଛି । ଡମପଡା ଅଭୟାରଣ୍ୟ ଚାରିପଟେ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ନିମନ୍ତେ ପାଚେରି ବୁଲା ଯାଇଛି । ହେଲେ କିଛି ଜାଗାରେ ଏହି ପାଚେରିର ଉଚ୍ଚତା କମ ଥିବାରୁ ହରିଣ, ବାରହା ଓ ମୟୂର ମାନେ ପାଣି ପିଇବା ପାଇଁ ପାଚେରି ଡେଇଁ ରାଜରାସ୍ତା ଉପରକୁ ଆସୁଛନ୍ତି ।
ଫଳରେ ବହୁ ଲୋକ ମାନେ ରାସ୍ତା ଉପରେ ଗାଡି ରଖି ବନ୍ୟପ୍ରାଣୀ ମାନଙ୍କୁ ଦେଖୁଛନ୍ତି । କିଛି ଲୋକ ଏହି ବନ୍ୟପ୍ରାଣୀ ମାନଙ୍କୁ ଘଉଡେଇବା ପାଇଁ ପଥର ମାରୁଛନ୍ତି । ପ୍ରତିଦିନ ସକାଳେ ଓ ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ କହିବା ଅନୁସାରେ ବନବିଭାଗ ପକ୍ଷରୁ ଏଥିପ୍ରତି କିଛି ପଦକ୍ଷପ ନିଆଯାଉ ନାହିଁ । ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ମଧ୍ୟରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବୀ କରିଛନ୍ତି ।