ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେ ପକ୍ଷରୁ ଅନେକ ନିୟମମାନ ଘୋଷଣା କରାଯାଉଛି । ମାତ୍ର ଏବେ ଯାତ୍ରୀଙ୍କୁ ବଡ ଝଟକା ଲାଗିପାରେ । । କାରଣ ବହୁତ ଶୀଘ୍ର ରେଲୱେ ପକ୍ଷରୁ ଟ୍ରେନ୍ ଯାତ୍ରାର ସମସ୍ତ ଶ୍ରେଣୀ ଟିକେଟ ଭଡା ବଢିବାର ଘୋଷଣା କରାଯାଇପାରେ ।
ଭଡାରେ ପ୍ରତି କିଲୋମିଟର ପିଛା ୫ ପଇସାଠାରୁ ନେଇ ୪୦ ପଇସା ପର୍ଯ୍ୟନ୍ତ ବଢିପାରେ । ଏହାର ଅର୍ଥ ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଭଡା ବଢିପାରେ । ଏହାର ପ୍ରଭାବ ସିଧା ସାଧରଣ ଜନତାଙ୍କ ଉପରେ ପଡିବ । ଯାହାଫଳରେ ସେମାନଙ୍କୁ ଯାତ୍ରା କରିବା ବେଳେ ଅଧିକ ଟଙ୍କା ଦେବାକୁ ପଡିବ । ଏନେଇ ଚଳିତ ସପ୍ତାହରେ ଘୋଷଣା କରାଯାଇପାରେ ।
ଏନେଇ ରେଲୱେ ପକ୍ଷରୁ କୁହାଯାଇଛି,ସଂସଦୀୟ ସମିତିର ସୁପାରିଶ ଏବଂ ପରିଚାଳନ ଅନୁପାତ ଉପରେ ବଢୁଥିବା ଚାପ ଯୋଗୁଁ ଏହି ପଦକ୍ଷେପ ନିଆଯାଉଛି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସବୁଜ ସଂକେତ ମିଳିସାରିଛି ।
ରେଲୱେ ଦ୍ୱାରା ଭଡା ବଢାଯିବା ପରେ ତାର ଆୟରେ ପ୍ରତିବର୍ଷ ଚାରି ହଜାର କୋଟି ଟଙ୍କାରୁ ନେଇ ପାଞ୍ଚ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । କେବଳ ଏତିକି ନୁହେଁ ଏହାଦ୍ୱାରା ରେଲୱେର ପରିଚାଳନା ଅନୁପାତରେ ବି ସୁଧାର ଆସିବ । ପ୍ରକୃତରେ ଝାରଖଣ୍ଡ ବିଧାନସଭା ନିର୍ବାଚନ ପୁରା ହେବା ପାଇଁ ରେଲୱେ ଅପେକ୍ଷା କରିଥିଲା । ସେଥିପାଇଁ ଏବେ ବହୁତ ଶୀଘ୍ର ରେଲୱେର ନୂତନ ଟିକେଟ ଭଡା ନେଇ ଘୋଷଣା ହୋଇପାରେ ।