ଗଞ୍ଜାମ (ଏଟିଆର ବ୍ୟୁରୋ): ଉଦଘାଟିତ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବର ଉଦଘାଟନ କରିଛନ୍ତି । ଗୋପାଳପୁର ବେଳାଭୂମିରେ ଦେଖିବାକୁ ମିଳିବ କଳା ଓ ସଂସ୍କୃତି ଝଲକ । ଆଜି ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବେଳାଭୂମିରେ ପହଞ୍ଚି ମହୋତ୍ସବର ଉଦଘାଟନ କରିଛନ୍ତି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଗୋପାଳପୁର ବେଳାଭୂମି ଅଭିମୁଖେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ୫ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବଟି ଆସନ୍ତା ୨୮ତାରିଖରେ ଶେଷ ହେବ ।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ କଳାକାର ଯୋଗ ଦେବେ । ଓଲିଉଡ ବିଭିନ୍ନ କଳାକାର ଏଠାରେ ଯୋଗ ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବାର ସୂଚନା ରହିଛି । ତେବେ ଉଦଘାଟନୀ ସଂନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୋନୁ ଦିଗମ ନିଜ ଗୀତର ତାଳେ ତାଳେ ଦର୍ଶକଙ୍କୁ ଝୁମେଇବେ । ସେପଟେ ଉଦଯାପନୀ ସମାରୋହରେ ବଲିଉଡ କଣ୍ଠଶିଳ୍ପୀ ଶାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଏହି ମହୋତ୍ସବକୁ ଦେଖିବା ପାଇଁ ବହୁସଂଖ୍ୟରେ ଦର୍ଶକ ଆସୁଥିବାରୁ ସୁରକ୍ଷା ଦୃଷ୍ଟିକୁ ମଧ୍ୟ କଡାକଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ୪ଜଣ ଅତିରିକ୍ତ ଏସପି, ୧୫ଜଣ ଡିଏସପି, ୧୫୦ଜଣ ଅଫିସରଙ୍କ ସହ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟକ କରାଯାଇଛି ।