ପୁରୀ(ଏଟିଆର ବ୍ୟୁରୋ): ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ସଜବାଜ କରାଗଲାଣି । ପରମ୍ପରା ଅନୁଯାୟୀ, ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜା କରାଯାଇ ରଥ କାଠ କାଟିବା ପାଇଁ ଅନୁକୂଳ ହୋଇଥାଏ । ତେବେ ଏଥିପାଇଁ ଆସନ୍ତା ଜାନୁଆରୀ ୬ ତାରିଖରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ନୟାଗଡ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ୍ ନିଜ ସହିତ ମାଳ ମାହାର୍ଦ୍ଦା, ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧୂପ, ଦୀପ, ନଡିଆ ଆଦି ନେଇକି ଯିବେ ।
ଜାନୁଆରୀ ୭ ତାରିଖରେ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜା କରି ସାରିଲା ପରେ ରଥ ପାଇଁ କାଠ କଟା ଶୁଭାରମ୍ଭ କରିବେ । ସୂଚନା ଅନୁସାରେ ତିନି ରଥ ନିର୍ମାଣ କରିବା ପାଇଁ ୮୬୫ ଖଣ୍ଡ କାଠ ଦରକାର ପଡିଥାଏ । ତେବେ ଗତବର୍ଷ ରଥ ନିର୍ମାଣ କରାଯିବା ପାଇଁ ଆସିଥିବା କାଠରୁ ୧୯୩ ଖଣ୍ଡ କାଠ ବଳକା ରହିଛି । ଏବର୍ଷ ଆଉ ୬୭୨ ଖଣ୍ଡ କାଠ ଆସିବ ।