କଳାହାଣ୍ଡି(ଏଟିଆର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଜି ଆଉ ଜଣେ କୋଟିପତି ସରକାରୀ କିରାଣି ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି କଳାହାଣ୍ଡି ଜିଲ୍ଲା ଡିଆରଡିଏ ବିଭାଗ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୂଚନା ଅନୁସାରେ ଭିଜିଲାନ୍ସ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଡିଆରଡିଏ ବିଭାଗରେ କାର୍ଯ୍ୟରତ ମୁଖ୍ୟ କିରାଣି ହରପ୍ରସାଦ ଅଚାରୀଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢାଉ କରିଛି । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଏକକାଳୀନ ୩ଟି ଜାଗାରେ ଚଢାଉ କରାଯାଉଛି ।
ଆଜି ସକାଳୁ ଭିଜିଲାନ୍ସ ଟିମ ହରପ୍ରସାଦଙ୍କ ଭବାନୀପାଟଣା ରାମନଗରପଡାସ୍ଥିତ ଘର, ଅଫିସ ଓ ମନ୍ଦାର ବଗିଚା ପଡାସ୍ଥିତ ପୈତୃକ ଘରରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଚଢାଉ ବେଳେ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ହସ୍ତଗତ ହୋଇଥିବା ବେଳେ ହରପ୍ରସାଦଙ୍କ ଏକ ୩ମହଲା କୋଠା ଥିବାର ଜଣାଡିଛି । ଏହା ସହ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ଚଢାଉ ଜାରି ରହିଥିବାରୁ ହରପ୍ରସାଦଙ୍କ ସର୍ବମୋଟ କେତେ ପରିମାଣର ସମ୍ପତି ରହିଛି ତାହା ଜଣାପଡିନାହିଁ ।