ବାଲେଶ୍ୱର(ଏଟିଆର ବ୍ୟୁରୋ):ଗତକାଲି ବାଲେଶ୍ୱର ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଧାରଣାରେ ବସିଥିଲେ । ପୂର୍ବରୁ ମେଡିକାଲରେ ଅବ୍ୟବସ୍ଥାକୁ ନେଇ ମନ୍ତ୍ରୀ ବାରମ୍ବାର ସିଡିଏମଓଙ୍କୁ ଜଣାଇଥିଲେ । ହେଲେ ଏହାର କିଛି ସମାଧାନ ହୋଇନଥିଲା । ତେବେ ଗତକାଲି ରୋଗୀଙ୍କୁ ମେଡିକାଲରେ ପୁରୁଣା ବେଡସିଟ ଦିଆଯାଉଥିବାର ଖବର ମିଳିଲା ପରେ ମନ୍ତ୍ରୀ ଓ ତାଙ୍କ ସମର୍ଥକ ମାନେ ମେଡିକାଲ ପରିସରରେ ଧାରଣାରେ ବସିଥିଲେ ।
ମେଡିକାଲରେ ଥିବା ସମସ୍ୟାକୁ ପ୍ରତିବାଦ କରି ମନ୍ତ୍ରୀ ଧାରଣାରେ ବସିଥିଲେ । ମନ୍ତ୍ରୀ ଧାରଣାରେ ବସିଥିବାର ଖବର ପାଇ ଧାରଣା ସ୍ଥଳରେ ଜିଲ୍ଲାପାଳ,ସିଡିଏମଓ ଓ ମେଡିକାଲ ସୁପରିଣ୍ଟେଣ୍ଡଣ୍ଟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଜିଲ୍ଲାପାଳ ମନ୍ତ୍ରୀଙ୍କ ସହ ଅଲୋଚନା କରିଥିଲେ । ମେଡିକାଲରେ ଥିବା ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପରେ ମନ୍ତ୍ରୀ ଓ ତାଙ୍କ ସମର୍ଥକ ମାନେ ଧାରଣାରୁ ଉଠିଥିଲେ ।