ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଜାଗାରେ ପିଲାଛୁଆ ଧରି କିଛି ମହିଳା ଓ ଯୁବତୀ ମାନେ ଭିକ୍ଷା ବୃତ୍ତି କରୁଛନ୍ତି । ଖାସ କରି ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଟ୍ରାଫିକ ନିକଟରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଏହି ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାକୁ ଓଡିଶା ମାନବିକ ଅଧିକାରି କମିଶନ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ମାମଲା ଶୁଣାଣି କରି କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ନିକଟରେ ଭିକ୍ଷା ମାଗୁଥିବା ଅଧିକାଂଶ ମହିଳା ଓ ଯୁବତୀ ଓଡିଶାର ନୁହନ୍ତି ।
ସହର ମଧ୍ୟରେ ଏଭଳି ଅଜଣା ଲୋକମାନେ ଅନେକ ଅପରାଧ ଘଟାଇବାକୁ ପଛାଉ ନାହାନ୍ତି । ଟ୍ରାଫିକ ନିକଟରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଲୋକ ମାନଙ୍କର ଯାଞ୍ଚ କରାଯାଉ ଯଦି ସେମାନେ ଓଡିଶାର ନୁହନ୍ତି ତେବେ ସେମାନଙ୍କର ଠିକଣାର ବିଷୟରେ ଅବଗତ ହୋଇ ସେମାନଙ୍କୁ ତାଙ୍କ ସ୍ଥାନକୁ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ କମିସନ ପରାମର୍ଶ ଦେଇଛନ୍ତି । ଏହି ବ୍ୟକ୍ତି ମାନେ କେଉଁ ଉଦ୍ଦେଶରେ ଓଡିଶା ଆସିଛନ୍ତି ତାହା ଭଲ ଭାବରେ ତଦନ୍ତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।