ମୁମ୍ବାଇ (ଏଟିଆର ବ୍ୟୁରୋ): ବିବାଦରେ ରହି ଆସିଥିବା ସିନେମା ଛପାକକୁ ନେଇ ଦାୟର ହୋଇଥିବା ମାମଲାରେ ଆଜି କୋର୍ଟ ଫୈସଲା ଶୁଣାଇଛନ୍ତି । ସିନେମାଟି ଗତକାଲି ପ୍ରେକ୍ଷାଳୟକୁ ଆସିବାକୁ ଥିବା ବେଳେ ଆଜି ଏନେଇ ହୋଇଥିବା ଯାଚିକାର ରାୟ ଶୁଣାଇଛନ୍ତି କୋର୍ଟ । ଓକିଲ ଅପର୍ଣ୍ଣାଭଟ୍ଟୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଫିଲ୍ମରେ ରୋକ ଲଗାଇବା ପାଇଁ ଯାଚିକା ଦାୟର କରିଥିଲେ । ପୂର୍ବରୁ ଲକ୍ଷ୍ମୀଙ୍କ ପାଇଁ ଅପର୍ଣ୍ଣା କେଶ ଲଢି ଆସୁଛନ୍ତି ।
ସେ ଦର୍ଶାଇଥିଲେ ଯେ ସେ ଦୀର୍ଘବର୍ଷ ହେଲା ଲକ୍ଷ୍ମୀ ଅଗ୍ରୱାଲଙ୍କ ପାଇଁ କେଶ ଲଢି ଆସୁଛନ୍ତି । ମାତ୍ର ଏହି ସିନେମାରେ ତାଙ୍କୁ କୌଣସି ଶ୍ରେୟ ଦିଆଯାଇନାହିଁ । ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ସିନେମାରେ ରୋକ ଲଗାଇବା ପାଇଁ ପଟିଆଲା କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣୀ କରି ସିନେମାରେ ଅପର୍ଣ୍ଣାଙ୍କ ନାମ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଏହି ସିନେମାର କାହାଣୀକୁ ନେଇ ପୂର୍ବରୁ କପି ରାଇଟ ମାମଲା ମଧ୍ୟ ଲାଗିଥିଲା ।
ରାକେଶ ଭାରତୀ ନାମକ ଜଣେ ଲେଖକ ଏହି ମାମଲା ଦାୟର କରିଥିଲେ । ରାକେଶ କହିଥିଲେ ସେ ଏସିଡ ପିଡୀତ ଜୀବନୀକୁ ନେଇ ଏକ କାହାଣୀ ରଚନା କରିଥିଲେ । ତେଣୁ ତାଙ୍କୁ ଏହି ସିନେମାରେ ଶ୍ରେୟ ଦେବା ପାଇଁ ସେ ଦାବି କରିଥିଲେ । ତେବେ ଏନେଇ କୋର୍ଟ ରାୟରେ କହିଥିଲେ କୌଣସି ବି ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ଉପରେ କୌଣସି କପି ରାଇଟ ଲାଗି ପାରିବ ନାହିଁ ।