ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହତ୍ୟା, ବିଷ୍ଫୋରଣ, ଡକାୟତୀ ଭଳି ସଙ୍ଗିନ ମାମଲା ରୁଜୁ ହୋଇଥିଲା । ପୂରା ଓଡିଶା ପୁଲିସ ଲାଗି ସେ ଥିଲା ମୋଷ୍ଟ ୱାଣ୍ଟେଡ । ତାକୁ ଧରାଇ ଦେଲେ ୮ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ଘୋଷଣା କରିଥିଲା ପୁଲିସ । ଆମେ କହୁଛୁ ହାର୍ଡକୋର ମାଓବାଦୀ କୁନୁ ଦେହୁରୀ କଥା । ଯିଏ କି ଆଜି ମାଓ କ୍ୟାଡର ଛାଡି ପୁଲିସ ପାଖରେ ଆତ୍ମସମର୍ପଣ କରିଛି ।
ଏହା ଓଡିଶା ପୁଲିସ ଲାଗି ଏକ ବିରାଟ ସଫଳତା ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଏତିକି ନୁହେଁ କୁନୁ କ୍ୟାଡରରୁ ବାହାରି ଆସିବା ମାଓ କ୍ୟାମ୍ପକୁ ଏକ ଶକ୍ତ ଝଟକା ବୋଲି ମଧ୍ୟ ଡିଜି ଜଣାଇଛନ୍ତି । ୨୦୦୨ରୁ କୁନୁ ମାଓ କ୍ୟାଡରରେ ସକ୍ରୀୟ ଭୁମିକା ତୁଲାଉଥିଲା । କେଉଁଠି ହତ୍ୟା ତ’ ଆଉ କେଉଁଠି ବିଷ୍ଫାରଣ କରି ଥରହର କରୁଥିଲା । ଯାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥିଲା ପୁଲିସ ପାଇଁ । ରେକର୍ଡ କହୁଛି ପାଖାପାଖି ୫୧ଟି ମାମଲାରେ କୁନୁ ଜଡିତ ରହି ପୁଲିସ ଲାଗି ମୋଷ୍ଟ ୱାଣ୍ଟେଡ ସାଜିଥିଲା ।