ପାରଳାଖେମୁଣ୍ଡି (ଏଟିଆର ବ୍ୟୁରୋ): ପାରଳାରେ ଆରମ୍ଭ ହୋଇଛି କଲ୍ୟାଣୀ ଗଜପତିଙ୍କ ଶାସନ । ପାରଳା ମହାରାଜା ଗୋପୀନାଥ ଗଜପତି ମହାରାଜାଙ୍କର ମୃତ୍ୟୁ ପରେ ତାଙ୍କର କନ୍ୟା କଲ୍ୟାଣୀ ଗଜପତିଙ୍କ ସିଂହାସନ ଆରୋହଣ କରିଛନ୍ତି । ରାଜ ପରିବାରର ନୀତି ଅନୁସାରେ ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ମୁତ୍ୟୁ ପରେ ରାଜ ସିଂହାସନରେ ବସିଛନ୍ତି ତାଙ୍କର ଝିଅ କଲ୍ୟାଣୀ ଗଜପତି । ରାଜ ପୁରୋହିତ ବିଧିବଦ୍ଧ ଭାବେ କଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଥିଲେ ।
ରାଜ୍ୟାଭିଷେକ ପରେ କଲ୍ୟାଣୀ ଗଜପତି ରାଜଦେଇ ପାରଳା ରାଜ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ । ସୂଚନାନୁଯାୟୀ, ଗତକାଲି ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା । ଏହାପରେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ନିଆଯାଇଥିଲା । ପାରଳାଖେମୁଣ୍ଡି ରାଜନହରରେ ମରଶରୀର ପହଞ୍ଚିବା ପରେ ପ୍ରଥମେ କଲ୍ୟାଣୀ ରାଜଙ୍କର ରାଜ୍ୟାଭିଷେକ କରାଯାଇଥିଲା । ସିଂହାସନରେ କଲ୍ୟାଣୀ ଗଜପତି ବସିସାରିବା ପରେ ମହାରାଜ ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ତେବେ ପାରଳା ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରାଜ ସିଂହାସନ ଆରୋହଣ କରିଛନ୍ତି ।