ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲିଠାରୁ ଲାଗୁ ହୋଇଯାଇଛି ନାଗରିକତା ସଂଶୋଧନ ଆଇନ (ସିଏଏ) । ୩ଟି ପଡୋଶୀ ରାଷ୍ଟ୍ରରେ ଧର୍ମ ଭିତ୍ତିରେ ନିର୍ଯାତିତ ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ପାଇଁ ସିଏଏ କାର୍ଯ୍ୟକାରୀ ହୋଇଛି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଆଇନ ଲାଗୁ ହେବା ଫଳରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ନିଜ ଧର୍ମ ପାଇଁ ନିର୍ଯ୍ୟାତିତ ହେଉଥିବା ସଂଖ୍ୟାଲଘୁ ଲୋକଙ୍କୁ ନାଗରିକତା ମିଳିପାରିବ ।
ଗତବର୍ଷ ଡିସେମ୍ବରେ ସଂସଦରେ ପାଳିତ ହୋଇ ସାରିଛି । ତେବେ ଏଥିରେ ସର୍ତ୍ତ ରହିଛି ଯେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ରହୁଥିବା ବ୍ୟକ୍ତିଙ୍କୁ ନାଗରିକତା ମିଳିପାରିବ । ଅନ୍ୟପଟେ କେନ୍ଦ୍ର ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏଯାଏ ନିୟମ ଫ୍ରେମ କରିନାହାନ୍ତି । ତେବେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୧୯ ଅଧୀନରେ ଧାରା ୧ର ଉପଧାରା ୨ ଅନୁଯାୟୀ କେନ୍ଦ୍ର ସରକାର ୧୦ ଜାନୁଆରୀ ୨୦୨୦କୁ ଏହି ଆଇନ କାର୍ଯ୍ୟକାରୀ କରିବେ ବୋଲି ତାରିଖ ଘୋଷଣା କରିଛନ୍ତି ।
ଅପରପକ୍ଷରେ ଏହି ଆଇନକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି । ବିରୋଧକାରୀଙ୍କ କହିବା ଅନୁଯାୟୀ ଦେଶରେ ପ୍ରଥମ ଥର ପାଇଁ ଧର୍ମ ଆଧାରରେ ଏହିଭଳି ନାଗରିକତା ପ୍ରଦାନ କରାଯାଉଛି । ଏହି ଆଇନ ଲାଗୁ ହେବା ଫଳରେ ମୁସଲିମାନ ନାଗରିକମାନେ ନିଜର ନାଗରିକତା ହରାଇବେ ବୋଲି ଆଶଙ୍କା କରି କିଛି ଗୋଷ୍ଠି ଏହାର ବିରୋଧ କରିଆସୁଛନ୍ତି । ଅନ୍ୟପଟେ ସିଏଏକୁ ବିରୋଧ କରି କରାଯାଉଥିବା ଆନ୍ଦୋଳନରେ ୨୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ବି ଶହ ଶହ ଲୋକ ଅଟକ ରହିଛନ୍ତି ।