ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ଧାର୍ଯ୍ୟ ହେବା ପରଠାରୁ ଦୋଷୀଙ୍କର ହାଲୁକ ଶୁଖିଯାଇଛି । ମୃତ୍ୟୁ ଭୟରେ ୪ଜଣ ଦୋଷୀଙ୍କ ମଧ୍ୟରୁ ୩ଜଣ ହିଂସ୍ର ହେବା ସହ ଜଣେ ଗୁମ ହୋଇ ବସିରହୁଛି । ତେବେ ଏହି ସମୟରେ ଯେପରି ଦୋଷୀମାନେ ଜେଲ ପରିସରରୁ ଖସି ନଯିବେ ସେଥିପାଇଁ ଜେଲ କତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ୪ଜଣ ଦୋଷୀ ଯେପରି ଖସି ନଯାଆନ୍ତି, ସେହି ଭୟରେ ନିର୍ମାଣ ହେଉଛି ୪ଟି ସ୍ୱତନ୍ତ୍ର ସେଲ ।
ଏହି ସ୍ୱତନ୍ତ୍ର ସେଲଟି ତିନି ନମ୍ବର ଜେଲରେ ନିର୍ମାଣ କରାଯାଉଛି । ଫାଶୀସ୍ଥଳ ଠାରୁ ଏହି ସେଲଗୁଡିକ ଅଳ୍ପ ଦୂରରେ ଅବସ୍ଥିତ । ନୂତନ ସେଲରେ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ଅଟେ । ସ୍ୱତନ୍ତ୍ର ସେଲ ସ୍ଥାନରେ ପୂର୍ବରୁ ସଂସଦ ଆକ୍ରମଣ ଘଟଣାରେ ଦୋଷୀ ଆତଙ୍କବାଦୀ ଆଫଜଲ ଗୁରୁକୁ ରଖାଯାଇଥିଲା । ତେବେ ଆଫଜଲକୁ ରଖା ଯାଇଥିବା ସେଲରେ ଏହି ୪ଜଣ ଦୋଷୀଙ୍କ ଏକାଠୀ ରଖାଯାଇପାରେ । ଏହି ସପ୍ତାହରେ ଦୋଷୀଙ୍କୁ ସ୍ଥାନାନ୍ତର କରାଯିବ । ଅନ୍ୟପଟେ ରବିବାର ଛୁଟି ଥିବା ସତ୍ୱ ସମସ୍ତ ପ୍ରକାରର ପ୍ରସ୍ତୁତି କିପରି ଚାଲିଛି ତାହାର ଯାଞ୍ଚ ଅଧିକାରୀମାନେ କରିଥିଲେ । ଅଧିକାରୀମାନେ ୩ନମ୍ବର ଜେଲ ପରିସର ବୁଲିବା ସହ ସମସ୍ତ କାର୍ଯ୍ୟର ଯାଞ୍ଚ ମଧ୍ୟ କରିଛନ୍ତି ।
ନିର୍ମାଣ ହୋଇଥିବା ଏହି ସ୍ୱତନ୍ତ୍ର ସେଲରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଏହାଭିତରେ ଦୋଷୀ ମୁକେଶ ନିଜର ମା’ଙ୍କୁ ସାକ୍ଷାତ କରିଛି । ତେବେ ଜେଲ୍ ଅଧିକାରୀ କହିଛନ୍ତି, ପ୍ରତି ସପ୍ତାହରେ ପରିବାର ଲୋକଙ୍କ ସହ ୨ ଥର ଦେଖା କରିବା ପାଇଁ ଏହି ୪ ଦୋଷୀଙ୍କୁ ଛଡ଼ାଯାଉଛି। ଫାଶୀ ପୂର୍ବରୁ କେବେ ଶେଷ ସାକ୍ଷାତ ହେବ ସେ ବାବଦରେ ଦୋଷୀଙ୍କ ପରିବାର ଲୋକଙ୍କୁ ଅବଗତ କରାଯିବ।