ପୁରୀ (ଏଟିଆର ବ୍ୟୁରୋ): ଗତ ୨ ଦିନ ହେଲା ଗଣମାଧ୍ୟମର ଶିରୋନାମା ପାଲଟିଥିବା ଇଞ୍ଜିନିୟର ଭିକ୍ଷୁକ ଗିରିଜା ଶଙ୍କର ମିଶ୍ର ଶେଷରେ ଘରକୁ ଫେରିଛନ୍ତି । । ତାଙ୍କ ଘରଲୋକ ତାଙ୍କୁ ଫେରାଇ ନେବାକୁ ଚେଷ୍ଟା କରିବା ପରେ ସେ ଘର ବାହୁଡିଛନ୍ତି । ସୂଚନା ଅନୁସାରେ ପୁରୀ ବଡ ଦାଣ୍ଡରେ ଭିକ୍ଷା ବୃତ୍ତି କରୁଥିବା ଗରିଜା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ । ମାତ୍ର ଚାକିରି ଉପରେ ଅଭିମାନ ଓ ସିନିୟର କର୍ମଚାରୀଙ୍କ ସହିତ ମତାନ୍ତର ହେବାରୁ ଶେଷରେ ସେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ । ଗିରିଜାଙ୍କ ଘର ଅନୁଗୁଳରେ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସପି । ସେମାନେ ଭୁଭନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳରେ ରହୁଥିଲେ ।
ଏବେ ସେ ବଡ ଦାଣ୍ଡରେ ବସି ଭିକ୍ଷାବୃତ୍ତି କରି ଚଳୁଥିଲେ । ମାତ୍ର ଏଇ ନିକଟରେ ତାଙ୍କର ଜଣେ ରିକ୍ସାବାଲା ସହିତ ଝଗଡା ହେବା ପରେ ଗିରିଜା ଥାନାରେ ଏତଲା ଦେଇଥିଲେ । ଯେଉଁ ଏତଲାଟି ସେ ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ଇଂରାଜୀରେ ଲେଖିଥିଲେ । ଏତଲା ଦେଖି ପୋଲିସର ଗିରିଜାଙ୍କ ଉପରେ ସନ୍ଦେହ ହୋଇଥିଲା । ପୋଲିସ ଅଧିକ ଖୋଳତାଡ ଓ ପଚରା ଉଚରା କରିବା ପରେ ଗିରିଜାଙ୍କ ବିଷୟରେ ଏହି ଖବର ସାମ୍ନାକୁ ଆସିଥିଲା । ଏବେ ଏହି ଖବର ବାରମ୍ବାର ଗଣମାଧ୍ୟରେ ପ୍ରସାରିତ ହେଲା ପରେ ଗିରିଜାଙ୍କ ଭାଇ ଭଉଣୀ ଆସି ଗିରିଜାଙ୍କୁ ଘରକୁ ଫେରାଇ ନେଇଥିବା ଜଣାପଡିଛି ।